କେନ୍ଦୁଝର ଡାକ୍ତରଖାନା: ଏସି ଲାଗିବା ଦିନରୁ କାମ କରୁନି
କେନ୍ଦୁଝର, ୩୧/୭(ସକାଳଖବର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ଓ ମା ଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ମାତୃ ଓ ଶିଶୁ ଚିକିତ୍ସାଳୟ । ହେଲେ ଏବେ ଏଠାରେ ନବଜାତ ଶିଶୁ ଓ ମା’ ମାନେ ଅସହ୍ୟ ଗରମରେ ଡହଳ ବିକଳ ହୋଇ ଶଢୁଛନ୍ତି । ଆବଶ୍ୟକ ସ୍ଥାନ ଅଭାବରୁ ଅନେକ ରୋଗୀ ତଳେ ବାରଣ୍ଡାରେ ବର୍ଷା ଶୀତ କାକରରେ ଶୋଉଛନ୍ତି । ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲାଗିବା ଦିନରୁ ହିଁ କାମ କରୁନାହିଁ । ଏପଟେ ଅଧିକାଂଶ ପଙ୍ଖା ଚାଲୁ ନାହିଁ । କିନ୍ତୁ ସେପେଟେ ନିଘୋଡ ନିଦରେ ଶୋଇଛନ୍ତି ଚିକିତ୍ସାଳୟ କର୍ତୁପକ୍ଷ ।
ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସରକାରଙ୍କର ରହିଛି ମାଳ ମାଳ ଯୋଜନା । ଆଉ ଏଥି ପାଇଁ ବ୍ୟୟ ବରାଦ ମଧ୍ୟ ହେଉଛି କୋଟି କୋଟି ଟଙ୍କା । ହେଲେ ଏହି ଯୋଜନାରେ ଅତି ନିମ୍ନ ମାନର କାମ ହେଉଥିବାରୁ ଲୋକେ ଫାଇଦା ପାଆନ୍ତୁ କି ନ ପାଆନ୍ତୁ, ସରକାରଙ୍କ କିଛି ଅସାଧୁ କର୍ମଚାରୀ ଓ ଠିକାଦାର କିନ୍ତୁ ହେଉଛନ୍ତି ମାଲେ ମାଲ । ବନି ଯାଉଛନ୍ତି ରାତା ରାତି କୋଟିପତି । ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଖୋଦ୍ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଗର୍ଭବତୀ ମହିଳା, ନବଜାତ ଶିଶୁ ଓ ମା ଙ୍କୁ ଉତମ ସେବା ଯୋଗାଇଦେବା ଉଦେ୍ଧଶ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୮ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବରେ ନିର୍ମାଣ ହୋଇଛି ମାତୃ ଓ ଶିଶୁ ବିଭାଗ । ଆଉ ୧୯.୧୦.୧୭ ତାରିଖରେ ସରକାରଙ୍କ ଦୁଇ ଦୁଇ ଜଣ ମନ୍ତ୍ରୀ ତକ୍ରାଳୀନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏହାର ଶୁଭ ଉଦଘାଟନ କରିଥିଲେ । ହେଲେ ଏସବୁ ଯୋଜନା ଏଠି ଏବେ ବାଟବଣା । ଏହି ନୂତନ ବିଲଡିଂ ରେ ପର୍ଯ୍ୟାପ୍ତ ପରିମାଣର ଶଯ୍ୟା କିମ୍ବା ଗଦି ନାହିଁ । ଫଳରେ ଏଠାକୁ ଆସୁଥିବା ଶତାଧିକ ଗର୍ଭବତୀ ମହିଳା, ନବଜାତ ଶିଶୁ ଓ ମା ମାନେ ଏବେ ବାରଣ୍ଡାରେ ବର୍ଷା, ଖରା କାକର ତଥା ଶୀତ ଓ ଗରମରେ ପଡି ରହିବାକୁ ବାଧ୍ୟ ହେଉଛନ୍ତି । ଆଉ ଏହାର ଉଦଘାଟନ ସମୟରେ ସବୁ ରୁମରେ ଏ.ସି. ଲଗାଇ ଦିଆଯାଇଥିଲା । ହେଲେ ସେସବୁ ଏ.ସି. କିନ୍ତୁ ଥିଲା ଅଚଳ । ଉଦଘାଟନକୁ ଏବେ ଦୁଇ ବର୍ଷ ପୂରିବାକୁ ବସିଲାଣି, କିନ୍ତୁ ଏବେ ସୁଦ୍ଧା ଏ.ସି. ଆଉ ଚାଲୁ ନାହିଁ । ସେବେ ଠାରୁ ଏ.ସି. ଅକାମି ହୋଇ ପଡିଛି । ସେ ସବୁ ଏସିକୁ ବାହାରୁ ଦେଖିଲେ ଲାଗୁଛି ଯେ ସେସବୁ ଖରାପ ଓ ପୁରଣା ଏ.ସି. ଲଗାଇ ଠିକାଦାର ଠକି ଦେଇଛନ୍ତି । ଆହୁରି ମଧ୍ୟ ମେଡିକାଲରେ ଲାଗିଥିବା ଅଧିକାଂଶ ଫ୍ୟାନ ଦୁଇ ବର୍ଷ ନ ପୁରୁଣୁ ଖରାପ ହୋଇଗଲାଣି । ସେଗୁଡିକ ଆଉ ଠିକ୍ ଭାବେ ବୁଲୁ ନାହିଁ । ଫଳରେ ଏଠାକୁ ଆସୁଥିବା ଗର୍ଭବତୀ ମହିଳା, ନବଜାତ ଶିଶୁ, ମା ଓ ତାଙ୍କ ସମ୍ପର୍କିୟ ମାନେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ନବଜାତ ଶିଶୁଟିଏ ପାଇଁ ତାର ମା’ ର କାନି ପାଲଟିଛି ଏ.ସି. ଓ ଫ୍ୟାନ । ଗରମରେ ନବଜାତ ଶିଶୁ ମାନେ ଶୋଇନପାରି ଛଟପଟ ହେଉଛନ୍ତି । ଆହୁରି ଏହି ବିଲଡିଂ ର ପ୍ରଥମ ମହିଳାରେ ରହିଛି ଏସ୍.ଏନ.ସି.ୟୁ. ଓ ଲେବର ରୁମ୍ । ତେଣୁ ଗର୍ଭବତୀ ମହିଳା ଏହାର ଉପର ମହଲାକୁ ଯିବାକୁ ଏଠାରେ ଲିଫ୍ଟ ମଧ୍ୟ ଲଗାଇବାର ବ୍ୟୟ ବରାଦ ହୋଇଛି । ମାତ୍ର, ଠିକାଦାର ତାକୁ ମଧ୍ୟ ନ ଲଗାଇ ଠକି ଦେଇଛନ୍ତି ।