ବିଧାନସଭା ପରିସରରେ ଶହୀଦ ଦିବସ ପାଳିତ

Jan 31, 2019 - 16:16
 175
ଭୁବନେଶ୍ୱର, ୩୦/୧(ସକାଳଖବର): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀର ପୁଣ୍ୟତିଥି ଅବସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀ ପ୍ରଦିପ କୁମାର ଅମାତ୍ ରାଜ୍ୟ ବିଧାନସଭା ପରିସରସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସରକାରୀ ମୁଖ୍ୟ ସଚେତକ ଶ୍ରୀ ଅମର ପ୍ରସାଦ ଶତପଥୀ, ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ଉପସ୍ଥିତ ହୋଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୋଲିସ୍ ବ୍ୟାଣ୍ଡ ଦ୍ୱାରା ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ତୋପଧ୍ୱନି ସହ ଶହୀଦମାନଙ୍କ ସମ୍ମାନାର୍ଥେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ୍ ପରିବେଷଣ କରାଯାଇଥିଲା । ପୂର୍ବରୁ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀମାନେ ଗାନ୍ଧୀଜୀଙ୍କ ପ୍ରିୟ ଆଶ୍ରମ ଭଜନ "ବୈଷ୍ଣବ ଜନତୋ...' ଓ "ରଘୁପତି ରାଘବ...' ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଧାନସଭାର ସଚିବ ଅମୀୟ କୁମାର ଷଡ଼ଙ୍ଗୀ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିଦେ୍ର୍ଧଶକ ନିରଞ୍ଜନ ସେଠୀ, ଉପନିଦେ୍ର୍ଧଶକ ବିପିନ ବିହାରୀ ବାରିକି, ବହୁ ସ୍ୱାଧୀତନା ସଂଗ୍ରାମୀ ,ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।