କଂଗ୍ରେସ ଏକୁଟିଆ ମୋଦି ସରକାରଙ୍କ ସାମ୍ନା କରିପାରିବ ନାହିଁ : ଭେନୁଗୋପାଲ

Feb 20, 2023 - 06:15
 48
କଂଗ୍ରେସ ଏକୁଟିଆ ମୋଦି ସରକାରଙ୍କ ସାମ୍ନା କରିପାରିବ ନାହିଁ : ଭେନୁଗୋପାଲ
ନୂଆଦିଲ୍ଲୀ,୨୦।୨ : କଂଗ୍ରେସ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଏକୁଟିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସାମ୍ନା କରିବା ଦଳ ପାଇଁ କଷ୍ଟସାଧ୍ୟ ହେବ। ଭାଜପା ବିରୋଧରେ ବିରୋଧୀଙ୍କ ଏକତାକୁ ସୂଚାଇ ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କେବଳ ଏକାକୀ କଂଗ୍ରେସ ଏହି ସରକାର ସହ ଲଢ଼ିପାରିବ ନାହିଁ। କଂଗ୍ରେସ ମହାସଚିବ କେ.ସି.ଭେନୁଗୋପାଲ କହିଛନ୍ତି ଯେ ଭାଜପା ବିରୋଧରେ ଭୋଟ ବିଭାଜନ ନ ହେବା ପାଇଁ ବିରୋଧୀ ଦଳର ଏକତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନକ। ବିରୋଧୀ ଏକତା ପାଇଁ କଂଗ୍ରେସ ମଧ୍ୟ ଚିନ୍ତିତ। ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଅନେକ ସମୟରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ କହିଛନ୍ତି ଯେ କେବଳ କଂଗ୍ରେସ ଏକୁଟିଆ ମୋଦି ସରକାରର ସମ୍ମୁଖୀନ ହୋଇପାରିବ ନାହିଁ। କଂଗ୍ରେସ ଜୋରଦାର ଲଢ଼େଇ କରିବ। ଏକଛତ୍ରବାଦୀ ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି। ବର୍ତ୍ତମାନ ଦେଶର ପରିସ୍ଥିତିକୁ ସମସ୍ତେ ଜାଣନ୍ତି। ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ଏକଛତ୍ରବାଦୀ ଶାସନକୁ ଓହ୍ଲାଇଛନ୍ତି। ଦେଶରେ ପରିସ୍ଥିତି ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଯାତ୍ରା କର୍ମୀମାନଙ୍କୁ ଉତ୍ସାହିତ କରିଛି। ଆମେ ଖୁବ ଶୀଘ୍ର ମୋଦି ସରକାରଙ୍କ ବିରୋଧରେ ନୀତି ଓ ଯୋଜନା ପ୍ରସ୍ତୁତ କରିବୁ, ଯାହାଦ୍ୱାରା ସରକାରଙ୍କୁ କ୍ଷମତା ଚ୍ୟୁତ କରାଯାଇ ପାରିବ।