ଓଡିଶା ସରକାର ଶୋଇ ରହିଛି : ପ୍ରଧାନମନ୍ତ୍ରୀ
ବଲାଙ୍ଗୀର,୧୫/୧(ସକାଳଖବର): ଏଠାକାର ସରକାରଙ୍କର କ'ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି । ଏଠାକାର ସରକାର ଟଙ୍କା ଖର୍ଚ୍ଚ ନକରି ପକାଇ ରଖିଛନ୍ତି ବୋଲି ବଲାଙ୍ଗୀରର ପଥରଚେପାରେ ଆୟୋଜିତ ଦଳୀୟ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରୁ ନାହାନ୍ତି । ନିର୍ବାଚନକୁ ଅପେକ୍ଷା ନକ ରି ଏହି ଅର୍ଥକୁ ଲୋକମାନଙ୍କ କଲ୍ୟାଣ ଲାଗି ଖର୍ଚ୍ଚ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । ଆଦିବାସୀଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୦୦୦କୋଟି ଟଙ୍କା ଦେଇସାରିଛନ୍ତି । ଏହି ଟଙ୍କା ଆଦିବାସୀ ଟଙ୍କା, ଓଡ଼ିଶା ଲୋକଙ୍କ ଟଙ୍କା । ଖଣି ଅଂଚଳରେ ବିକାଶ ଲାଗି ଏହି ଅର୍ଥ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ଏହାର ନଗଣ୍ୟ ଅଂଶ ଏଯାବତ୍ ଖର୍ଚ୍ଚ କରିପାରିନାହାନ୍ତି । ଏଠିକାର ସରକାର କ'ଣ କରୁଛନ୍ତି? ସରକାର ଏଠି ଶୋଇ ରହିଛି । ଏହି ଅର୍ଥର ସଦୁପଯୋଗ ଲୋକଙ୍କର ଅଧିକାର । ତେଣୁ ଏହାକୁ ତୁରନ୍ତ ଖର୍ଚ୍ଚ କରନ୍ତୁ । କେନ୍ଦ୍ର ସରକାର ଦେଇଥିବା ଏହି ଅର୍ଥ ଆଦିବାସୀଙ୍କ ଅଧିକାରର ଅର୍ଥ । ରାଜ୍ୟ ସରକାର ଗରିବ ଆଦିବାସୀଙ୍କ ଅଧିକାରରୁ ସେମାନଙ୍କୁ ବଂଚିତ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ସେ ଆହୁରି କହିଥିଲେ ଯେ ସବକା ସାଥ ସବକା ବିକାଶରେ ଆଦିବାସୀ ଅଂଚଳରେ ଥିବା ଭାଇ ଭଉଣୀଙ୍କୁ ଫୋକସ କରାଯାଉଛି । ମେକ ଇନ ଇଣ୍ଡିଆ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଛି । ଜିଲ୍ଲା ମିନେରାଲ ଫଣ୍ଡର ଲାଭ ଅଂଚଲବାସୀଙ୍କୁ ମିଳୁଛି । ପୂର୍ବ ସରକାର ସ୍ଥାନୀୟ ଲୋକଙ୍କ ଚିନ୍ତା କରୁ ନଥିଲେ । କିନ୍ତୁ ଏନଡିଏ ସରକାର ଏ ଦିଗରେ ସଜାଗ ଅଛନ୍ତି । ଓଡିଶା ସୂର୍ଯ୍ୟଦେବଙ୍କ ଭୂମି । ଓଡିଶାବାସୀଙ୍କ ଭଲ ପାଇବା ତାଙ୍କୁ ଏଠାକୁ ବାରମ୍ବାର ଟାଣି ଆଣିଛି । ମାସକ ମଧ୍ୟରେ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟକୁ ପ୍ରଦାନ କରାଯାଇଛି । ଭାରତ ସରକାର ବହୁତ କମ ସମୟ ମଧ୍ୟରେ ଏସବୁ ପରିଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଯାହା ଅକଳ୍ପନୀୟ । ଏହା ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କରିବ । ସେହିପରି ଜ୍ଞାନବିଜ୍ଞାନ କ୍ଷେତ୍ରରେ ଭାରତ ଶ୍ରେଷ୍ଠ । ଏହାକୁ ଆଗକୁ ନେବାକୁ ପଡିବ । ଓଡିଶୀ ନୃତ୍ୟ, ଓଡିଶା ଭାଷାର କାବ୍ୟ, ସାହିତ୍ୟ, ନୃତ୍ୟଗୀତ ଅଦ୍ଭୁତ ଅଟେ । ବଲାଙ୍ଗିରର ଚଉଷଠି ଯୋଗିନୀ, ଲିଲିଗୁଡ, ବୌଦ୍ଧ ନୀଳମାଧବ, କପିଳେଶ୍ୱର, ସିଦେ୍ଧଶ୍ୱର ଏହାର ଉଦାହରଣ । ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରୁ ଓଡିଶା ଅନ୍ୟତମ । ଏନଡିଏ ସରକାର ଆସିବା ପରେ ଦେଶର ଚୋରାଇ କରି ନିଆଯାଇଥିବା ମୂର୍ତିକୁ ପୁନଶ୍ଚ ଫେରାଇ ଆଣିବା ନେଇ ବ୍ୟବସ୍ଥା ହୋଇଛି । କିନ୍ତୁ ପୂର୍ବ ସରକାର ଏ ଦିଗରେ ସମ୍ବେଦନଶୀଳ ନଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶା ସମେତ ପୂର୍ବ ଭାରତରେ ରେଳବାଇର ବିକାଶ କେନ୍ଦ୍ରର ଲକ୍ଷ୍ୟ । ଯାହା ୨୦ହଜାର କୋଟିରୁ ଅଧିକ । ଗତ ୟୁପିଏ ସରକାର ତୁଳନାରେ ଏନଡିଏ ସରକାର ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି । ପୂର୍ବ ସରକାର ଠାରୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି । ୟୁପିଏକୁ ଏହା କରିବା ପାଇଁ ଆହୁରି ୨୫ ବର୍ଷ ଲାଗିଯାଇଥାନ୍ତ । ।