ଆଧାରକାର୍ଡ ନଥିବାରୁ ୫ ମାସ ହେଲା ଭିନ୍ନକ୍ଷମଙ୍କ ଭତା ବନ୍ଦ

Aug 10, 2018 - 19:52
 217
ଆଧାରକାର୍ଡ ନଥିବାରୁ ୫ ମାସ ହେଲା ଭିନ୍ନକ୍ଷମଙ୍କ ଭତା ବନ୍ଦ
ନୂଆପଡା,୧୦/୮ (ସକାଳଖବର): କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ଆଧାର କାର୍ଡ ବାଧ୍ୟତା ମୂଳକ ନୁହେଁ ବୋଲି ସୁପି୍ରମ କୋର୍ଟ ରାୟ ଦେବା ସତ୍ୱେ ସରକାର ଓ ଅଧିକାରୀ ମାନେ ଆଧାର କାର୍ଡକୁ ବାଧ୍ୟତା ମୂଳକ କହୁଛନ୍ତି । ଏଭଳି ସ୍ଥଳେ ଭିନ୍ନକ୍ଷମ ଆଧାର କାର୍ଡ ନଥିବାରୁ ୫ ମାସ ହେଲା ଭତା ମିଳି ପାରୁନାହିଁ । ଏଭଳି ଦେଖିବାକୁ ମିଳିଛି ବୋଡେନ ବ୍ଲକ ସୁନାପୁର ପଞ୍ଚାୟତ ଅଁଲାବାହେଲି ଗାଁର ଭିନ୍ନକ୍ଷମ ମହେନ୍ଦ୍ର ନିଆଲ(୯)ଙ୍କ କ୍ଷେତ୍ରରେ । ଏବେ ମହେନ୍ଦ୍ର ଭିନ୍ନକ୍ଷମ ଭତାରୁ ବଂଚିତ ହୋଇ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ବୋଡେନ ବ୍ଲକ ସୁନାପୁର ପଂଚାୟତ ଅଁଲାବାହେଲି ଗାଁର ଯଶୋଦା ନିଆଲଙ୍କ ପୁଅ ମହେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ ଥିଲେ । ବହୁ କଷ୍ଟରେ ୩ ବର୍ଷ ତଳେ ମହେନ୍ଦ୍ରଙ୍କୁ ଭିନ୍ନକ୍ଷମ ଭତା ମିଳିଥିଲା । ଗତ ଜାନୁୟାରୀ ମାସରେ ଭତା ପାଇଁ ମହେନ୍ଦ୍ରଙ୍କୁ ଆଧାର କାର୍ଡ ଦେବାକୁ ବିଭାଗୀୟ ଅଧିକାରୀ କହିଥିଲେ । ଆଧାର କାର୍ଡ ତିଆରି ପାଇଁ ଭିନ୍ନକ୍ଷମ ନାବାଳକ ମା ଯଶୋଦାଙ୍କ ସହିତ ପ୍ରଥମେ ବୋଡେନ ଆଧାର କେନ୍ଦ୍ରକୁ ଯାଇଥିଲେ । ଭିନ୍ନକ୍ଷମ ହୋଇଥିବାରୁ ସପ୍ଟୱେର ଫିଙ୍ଗର ପ୍ରିଂଟ ନେଇ ନଥିଲା । ପରେ ଖଡିଆଳ ଆଧାର କେନ୍ଦ୍ରକୁ ଯାଇଥିଲେ ବି ଆଧାର କାର୍ଡ ହୋଇ ପାରିନଥିଲା । ଏମିତି ଅନେକ ସ୍ଥାନକୁ ଯାଇ ଭିନ୍ନକ୍ଷମ ନାବାଳକ ନିରାଶ ହୋଇଥିଲେ । ଆଧାର କାର୍ଡ ଜମା ଦେଇ ନପାରିବାରୁ ବିଭାଗୀୟ ଅଧିକାରୀ ଗତ ମାର୍ଚ୍ଚ ମାସରେ ଭିନ୍ନକ୍ଷମ ଭତା ବନ୍ଦ କରି ଦେଲେ । ଭିନ୍ନକ୍ଷମ ନାବାଳକ ସାହାର ସାଜିଥିବା ଭତା ଖଣ୍ଡିକ ୫ ମାସ ହେଲା ବନ୍ଦ ହେବାରୁ ଅସହାୟ ଜୀବନ ଅତିବାହିତ କରୁଛନ୍ତି । ଭତା ଖଣ୍ଡିକ ପୁଅର ଲାଲନ ପାଳନରେ ସହାୟକ ହେଉଥିଲା । ଏବେ ୫ ମାସ ହେଲା ଭତା ବନ୍ଦ ହୋଇ ଯିବାରୁ ପରିବାର ଚଲିବା କଷ୍ଟକର ହୋଇ ପଡୁଥିବା ମା ଯଶୋଦା କହିଛନ୍ତି । ମହେନ୍ଦ୍ରଙ୍କ ଭିନ୍ନକ୍ଷମ ଭତାକୁ ତୁରନ୍ତ ନିୟମିତ କରିବାକୁ ଆମଆଦମୀ ପାର୍ଟି ରାଜ୍ୟ ସମ୍ପାଦକ (ସଂଗଠନ) ଅଂଶୁମାନ ସତପଥୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ଡିଏସ୍ଏସ୍ଓ ଗୋପଲକ୍ଷ୍ମୀ ହୋତାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରଯାଇ ଭିନ୍ନକ୍ଷମଙ୍କୁ ତୁରନ୍ତ ଭତା ପ୍ରଦାନ କରାଯିବ ବୋଲି କହିଛନ୍ତି ।