ଏଟି ମାମଲାର ଶୁଣାଣି ଆରମ୍ଭ
କଟକ,୨୬ା୪(ବୁ୍ୟରୋ): ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ କୁମାର ସେଠୀଙ୍କ ଉପରେ ସିବିଆଇ କୋର୍ଟରେ ହୋଇଥିବା ଜେଲ ଦଣ୍ଡାଦେଶକୁ ରଦ୍ଧ କରିବା ଓ ସିବିଆଇ ବ୍ୟତୀତ ଅନ୍ୟାନ ଥାନା ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରାର୍ଥନା କରି ଦାୟର ପୃଥକ ଦୁଇଟି ମାମଲାରେ ଗୁରୁବାର ଶୁଣାଣି ଆରମ୍ଭ ହୋଇଛି । ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆବେଦନକାରୀଙ୍କ ଓକିଲ ସୁରେଶ ତ୍ରିପାଠୀ ଯୁକ୍ତି ଉପସ୍ଥାପନା କରିଥିଲେ । ସମାନ ମାମଲାରେ ଅର୍ଥାତ ଆବେଦନକାରୀ ୨୦୧ କୋଟି ଆତ୍ମସାତ କରିଥିବା ଚାର୍ଜସିଟରେ ଦର୍ଶାଯାଇଛି । ସେହିପରି ଆଉ ଜଣେ ଅଭିଯୁକ୍ତ ୨୫୦ କୋଟି ଟଙ୍କା ଠକେଇ କରିଛି, ଏହି କ୍ଷେତ୍ରରେ ତାକୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ଆବେଦନକାରୀଙ୍କୁ ୭ବର୍ଷ ଦଣ୍ଡାଦେଶ ଦିଆଯାଇଛି । ଏପରି ଦଣ୍ଡ ବିଧାନ ତ୍ରୁଟିପୂର୍ଣ୍ଣ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତିରେ ଦର୍ଶାଇଥିଲେ । ଅନ୍ୟପକ୍ଷରେ ଆବେଦନକାରୀଙ୍କ ଓକିଲ ଦର୍ଶାଇଥିଲେ ଯେ ଚାର୍ଜଫ୍ରେମ ଠିକ୍ ଭାବେ ହୋଇନଥିବାବେଳେ ବୟାନ ରେକର୍ଡ ମଧ୍ୟ ଠିକ ଭାବରେ କରାଯାଇନାହି । ତେବେ ନିମ୍ନ ଅଦାଲତରେ ହୋଇଥିବା ଦଣ୍ଡାଦେଶକୁ ଖାରଜ କରାଯାଉ ବୋଲି ଯୁକ୍ତିରେ ସେ ଦର୍ଶାଇଥିଲେ । ଚିଟଫଣ୍ଡ ମାମଲାରେ ସୁପ୍ରିମ କୋର୍ଟ ଶୁଣାଣି କରି ୨୦୧୪ରେ ସମସ୍ତ ମାମଲାକୁ ସିବିଆଇକୁ ତଦନ୍ତ ଭାର ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମାମଲା ଚାଲୁଛି । ଏହା ବେଆଇନ ହୋଇଥିବାବେଳେ ଆବେଦନକାରୀଙ୍କ ନାଁରେ ଓଡିଶାରେ ୨୭ ଓ ଆନ୍ଧ୍ର ପ୍ରଦେଶରେ ଚାଲିଥିବା ଗୋଟିଏ ମାମଲାକୁ ରଦ୍ଧ କରାଯାଉ ବୋଲି ଦର୍ଶାଯାଇଥିଲା । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୮ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ସିବିଆଇ ପକ୍ଷରୁ ଅନୁପ ବୋଷ ମାମଲା ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର ସିଜେଏମ କୋର୍ଟ ୨୦୧୭ ମସିହା ଜୁଲାଇ ୩୧ତାରିଖରେ ପ୍ରଦୀପ ସେଠୀଙ୍କ ମାମଲା ଉପରେ ଶୁଣାଣି କରି ଆଇପିସି ୪୨୦, ୪୦୬ ଓ ୧୨୦(ବି)ରେ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡ ପ୍ରଦାନ କରିଥିଲେ । ତେବେ କୋର୍ଟ ୪୨୦ରେ ୭ବର୍ଷ ଜେଲ ଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ । ଏଥିପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ପୃଥକ ୨ଟି ମାମଲା ରୁଜୁ କରିଛନ୍ତି । ଆବେଦନକାରୀଙ୍କୁ ଦଣ୍ଡାଦେଶ ଦିଆଯିବା ସମୟରେ ଠିକ ଭାବେ ପ୍ରକ୍ରିୟା ଅବଲମ୍ବନ କରାଯାଇନାହି, ଚାର୍ଜଫ୍ରେମ ଭୁଲ ଉପାୟରେ ହୋଇଥିବାବେଳେ ତାହା ଠିକ ଭାବେ ହୋଇନାହି, ବୟାନ ରେକର୍ଡ ମଧ୍ୟ ଭୁଲ, ଦଣ୍ଡାଦେଶ ସମୟରେ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ, ତେଣୁ ଦଣ୍ଡାଦେଶକୁ ଖାରଜ କରାଯାଉ ବୋଲି ପ୍ରାର୍ଥନା କରାଯାଇଛି । ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ବିଭିନ୍ନ ଥାନାରେ ରୁଜୁ ମାମଲାକୁ ରଦ୍ଧ କରାଯାଉ ବୋଲି ଦର୍ଶାଯାଇଛି ।