ଉଚ୍ଛେଦକୁ ଐତିହ୍ୟ ସଂରକ୍ଷଣ ପରିଷଦର ବିରୋଧ

Aug 23, 2019 - 17:35
 94
ପୁରୀ, ୨୩/୮(ସକାଳଖବର): ମେଘନାଦ ପାଚେରୀ ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଐତିହ୍ୟ ସଂରକ୍ଷଣ ପରିଷଦ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛି । ପରିଷଦର ସଂପାଦକ ଦେବୀପ୍ରସନ୍ନ ନନ୍ଦ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ମେଘନାଦ ପାଚେରୀ ଠାରୁ ୭୫ ମିଟର ଉଚ୍ଛେଦ ଅନାବଶ୍ୟକ । ଯଦି ଏଭଳି ଉଚ୍ଛେଦ ହୁଏ ତାହେଲେ ପୁରୀର ଅର୍ଥନୀତି ଦୁର୍ବଳ ହୋଇଯିବ । ବହୁ ବ୍ୟବସାୟୀ ହାତବାନ୍ଧି ଘରେ ବସିବେ । ପର୍ଯ୍ୟଟକମାନେ ସେମାନଙ୍କର ମନପସନ୍ଦ ସାମଗ୍ରୀ ମନ୍ଦିର ପାଖରୁ ନପାଇ ଖାଲି ହାତରେ ଫେରିବେ । ୭୫ ମିଟର ସ୍ଥାନରେ ସରକାର କ’ଣ କରିବେ, କି ଯୋଜନା ରହିଛି, କାହିଁକି ଭାଙ୍ଗିବା ପାଇଁ ପ୍ରସ୍ତାବ ନେଇଛନ୍ତି ସେ ସଂପର୍କରେ ସମସ୍ତ ତଥ୍ୟ ଜନସାଧାରଣ ଜାଣିବା ଉଚିତ୍ । ଜନସାଧାରଣଙ୍କୁ ତଥ୍ୟ ଗୁପ୍ତ ରଖି ରାତାରାତି ଭାଙ୍ଗିବା ବି୍ରଟିଶ ଶାସନ ନୀତି ପରି ହୋଇଯାଉଛି । ଐତିହ୍ୟ ସ୍ଥଳୀଗୁଡିକୁ ଭାଙ୍ଗିବା ପୂର୍ବରୁ ତାହାର ସ୍ଥାନାନ୍ତର ସହ ସ୍ଥାପନ କରାଯାଉ । ଯଦି କମିଶନଙ୍କ ରିପୋର୍ଟ ଆଧାରରେ ଏହି ଭଙ୍ଗାଭଙ୍ଗି ଚାଲୁଛି ତେବେ ଅନ୍ୟ ଯେତେ ସବୁ ରିପୋର୍ଟ ରହିଛି ତା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଐତିହ୍ୟସ୍ଥଳଗୁଡିକର ସୁରକ୍ଷା ଓ ବିକାଶ ପାଇଁ ସରକାର କାର୍ଯ୍ୟ କରିବା ଉଚିତ୍ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓସାରିକରଣ ସହ ତାହାର ସଂଲଗ୍ନ ରାସ୍ତା ଦୋଳମଣ୍ଡପ ସାହି, ବାଲି ସାହି, ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହି, ଲୋକନାଥ ରୋଡ, ମାର୍କେଣ୍ଡଶ୍ୱର ରୋଡ, ମରଚିକୋଟ ଲେନ୍, ଚୂଡାପଟି ଲେନ୍, ଶ୍ରୀକୃଷ୍ଣ ସିନେମା ଲେନ୍ ଆଦି ସଂପ୍ରସାରଣ କରାଗଲେ ସୁବିଧାରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଯା ଆସ କରିପାରିବେ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।