ଇତିହାସ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

Sep 4, 2021 - 06:53
 153
ଇତିହାସ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି
ନୂଆଦିଲ୍ଲୀ: ରକେଟ୍‌ ବେଗରେ ବଢ଼ିବାରେ ଲାଗିଛି ରିଲାଏନ୍ସ କମ୍ପାନୀର ସେୟାର ମୂଲ୍ୟ । ଏଥିସହିତ ବଢ଼ି ଚାଲିଛି କମ୍ପାନୀ ମୁଖ୍ୟ ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତି । ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ବୃଦ୍ଧି ପାଇ ୧୫ ଲକ୍ଷ କୋଟିରେ ପହଞ୍ଚିଛି । (Market Capitalization) ଏମ୍‌କ୍ୟାପ୍‌ରେ ଏହି ସ୍ତର ହାସଲ କରିଥିବା ରିଲାଏନ୍ସ ଦେଶର ପ୍ରଥମ କମ୍ପାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବା ସହିତ କମ୍ପାନୀର ଏମ୍‌କ୍ୟାପ୍‌ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ସମାପ୍ତ ହେବା ବେଳକୁ ୧୫,୧୪,୦୧୭.୫୦କୋଟିରେ ପହଞ୍ଚିଥିବା ଦେଖାଯାଇଥିଲା । କମ୍ପାନୀର ସେୟାର ୪.୧୨ ପ୍ରତିଶତ ବୃଦ୍ଧି ହୋଇ ୨,୩୮୮.୨୫ ପ୍ରତି ସୟାରରେ ପହଞ୍ଚିଥିଲା । କାରବାର ସମୟରେ ରିଲାଏନ୍ସର ସେୟାର ୪.୩୮ ପ୍ରତିଶତ ବଢ଼ି ୨,୩୯୪.୩୦ ପ୍ରତି ଇକ୍ୱିଟିରେ ପହଞ୍ଚିଥିଲା । ବଜାର ମୂଲ୍ୟାଙ୍କନ ହିସାବରେ ସବୁଠାରୁ ବଡ଼ କମ୍ପାନୀର ସେୟାର ସେନ୍‌ସେକ୍ସର ସେୟାର ମଧ୍ୟରେ ସର୍ବାଧିକ ଲାଭରେ ରହିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ଚଳିତ ବର୍ଷ ଜୁନ୍‌ରେ ୧୪ ଲକ୍ଷ କୋଟି ଟଙ୍କା ପାର କରିଦେଇଥିଲା । ରିଲାଏନ୍ସ ସେୟାରରେ ବୃଦ୍ଧି ବଜାର ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥିଲା । ପ୍ରଥମ କରି ଶୁକ୍ରବାର ସେନ୍‌ସେକ୍ସରେ ୫୮ ହଜାର ଉପରେ ବନ୍ଦ ହୋଇଥିଲା ।