ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା

Mar 10, 2023 - 05:08
 52
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା
କଟକ: ଆଜିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ–୨) ପରୀକ୍ଷା ଆଜିଠାରୁ ସକାଳ ୮ଟାରୁ ଆରମ୍ଭ ହେଇଛି। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ୟ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିଥିଲା। ବୋର୍ଡ କାର୍ୟ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ। ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ୟ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର–୪(ଓଡ଼ିଆ), ମାର୍ଚ୍ଚ ୧୩ ରେ ପେପର–୮(ଇଂରାଜୀ), ମାର୍ଚ୍ଚ ୧୪ ରେ ପେପର–୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ ରେ ପେପର–୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର–୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର–୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର–୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର–୫(ଗଣିତ) ପରୀକ୍ଷା ହେବ। ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ୍ ଏହିପରି ମୋଟ ୬୦ ନମ୍ବର ପରୀକ୍ଷା ହେବ। ଅନ୍ୟ ବିଷୟରେ ୩୦ ମାର୍ଚ୍ଚ ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା କରାଯିବ।