ଆରଏସ୍ଏସ୍- ମୋଦୀ ଦୂରତା ବଢ଼ୁଛି

Nov 8, 2018 - 19:24
 167
ଆରଏସ୍ଏସ୍- ମୋଦୀ ଦୂରତା ବଢ଼ୁଛି
ନୂଆଦିଲ୍ଲୀ, ୯/୧୧ (ସକାଳଖବର): ରାମମନ୍ଦିର ନିର୍ମାଣକୁ ନେଇ ଏବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ମୌଳବାଦୀ ହିନ୍ଦୁ ସଂଗଠନ ଶତମୁଖ । ହଠାତ୍ ଏହି ସଂଗଠନର ଏପ୍ରକାର ମାନସିକତା କିପରି ସୃଷ୍ଟି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ମାନସିକତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଟାଓ ଅଭିଯାନ ରହିଛି । ବିଜେପିର କଠୋରପନ୍ଥୀ ନେତା ଭାବେ ପରିଚିତ ଲାଲକୃଷ୍ଣ ଆଡ଼ଭାନୀଙ୍କ ୧୯୯୦ ମସିହାର ସୋମନାଥ - ଅଯୋଧ୍ୟା ରଥଯାତ୍ରା ଯେ ପରବର୍ତ୍ତୀ ୨ ବର୍ଷରେ ବାବ୍ରୀ ମସଜିଦ୍ ଧରାଶାୟୀ କରିବା ଓ ତା ପରବର୍ତ୍ତୀ ସମୟରେ ବିଜେପିକୁ କ୍ଷମତାସୀନ କରିବାରେ ସହାୟକ ହୋଇଥିଲା ତାହା ସ୍ୱୀକାର କରିବାକୁ ପଡ଼ିବ । ଏହା ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଅଧୁନା କେନ୍ଦ୍ରରେ ସରକାର ଗଠନ କରିଛି । ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେବାକୁ ଯାଇ ବରିଷ୍ଠ ନେତା ଏଲ.କେ.ଆଡ଼ଭାନୀକୁ କୋଣଠେସା କରି ଆରଏସ୍ଏସ୍ ଚାପରେ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦୀ । କିନ୍ତୁ ଏବେ ନରେନ୍ଦ୍ର ମୋଦୀଙ୍କ ଚମକ ହଜିଯାଇଥିବା ଆରଏସ୍ଏସ୍ ଆଭ୍ୟନ୍ତରୀଣ ମହଲରେ ଆଲୋଚନା ହେଉଛି । ମୋଦୀ ଜନସାଧାରଣଙ୍କ ନିକଟତର ନହୋଇ କେବଳ ଚାକଚକ୍ୟ ଭରା ସିଂହାସନ ଉପଭୋଗ କରିବାକୁ ଆଗ୍ରହୀ ବୋଲି ଆରଏସ୍ଏସ୍ ଅନୁଭବ କରୁଛି । ମୋଦୀଙ୍କ ସମୟରେ ବିମୁଦ୍ରାକରଣ ଏକ କଳା ନିଷ୍ପତ୍ତି, ଯାହାର ଯୁକ୍ତିଯୁକ୍ତି ଉତ୍ତର ସରକାର ଦେଇପାରୁ ନାହାଁନ୍ତି । ରିଜର୍ଭ ବ୍ୟାଙ୍କ ସହ ସରକାର ବିବାଦ ଘେରରେ ରହିଛନ୍ତି । ନିଯୁକ୍ତି ସୁଯୋଗ ନାହିଁ । ଅର୍ଥନୀତିରେ ମାନ୍ଦା ଅବସ୍ଥା ଜାରି ରହିଛି । ଏକ ରାଷ୍ଟ୍ର ଏକ ଟିକସ ସ୍ଲୋଗାନ ଫମ୍ପା ହୋଇଯାଇଛି । ନୂଆ ଟିକସ ନୀତି ସଂସ୍କାରିତ ହୋଇପାରି ନାହିଁ । ବ୍ୟାଙ୍କଗୁଡ଼ିକର ଦେବାଳିଆ ପରିସ୍ଥିତି । ସୁପ୍ରିମକୋର୍ଟ ସହ ସରକାର ବିବାଦ ଘେରରେ ରହିଛି । ରାଫେଲ ବିମାନ କିଣା ଦୁର୍ନୀତିରେ ସରକାରଙ୍କ ଉପରକୁ ଯେଉଁ ଆଙ୍ଗୁଳି ଉଠିଛି ତାହାର କିଛି ସଠିକ୍ ଉତ୍ତର ନାହିଁ । ଏହି ପରିପ୍ରେକ୍ଷୀରେ ଆରଏସ୍ଏସ୍ ଏବେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇଛି । କ୍ଷମତାସୀନ ଦଳ ବିଜେପିର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିବା ପରିପ୍ରେକ୍ଷୀରେ ପୁଣି କିପରି ହିନ୍ଦୁତ୍ୱାବଦୀ ଶକ୍ତି କ୍ଷମତାସୀନ ହେବେ ସେହି ଲକ୍ଷ୍ୟରେ ଆରଏସ୍ଏସ୍ ପକ୍ଷରୁ ଦୀର୍ଘ ପରେ ଏହି ପ୍ରସଙ୍ଗ ଉଠାଯାଉଛି । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକୁ କେବଳ ମାତ୍ର ଆଳ କରାଯାଉଛି । ସୁପ୍ରିମକୋର୍ଟ ଶୁଣାଣି ଘୁଞ୍ଚାଇଥିବା କଥାକୁ ଆଳ କରି ଆରଏସ୍ଏସ୍ ବିଜେପିର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି । କିନ୍ତୁ ଏସମସ୍ତ ମଧ୍ୟରେ ଆରଏସ୍ଏସ୍ ଏକ ନୂତନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସନ୍ଧାନରେ ରହିଥିବା ଜଣାପଡ଼ିଛି । ଅଯୋଧ୍ୟା ପ୍ରସଙ୍ଗରେ ଆରଏସ୍ଏସ୍ ସମେତ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ହିନ୍ଦୁତ୍ୱବାଦୀ ସଂଗଠନ ଏକତ୍ରିତ ହେଲେଣି । ଉଦେ୍ଧଶ୍ୟ ୧୯୯୦ ମସିହାର ଏକ ପରିବେଶ ପୁନର୍ବାର ସୃଷ୍ଟି କରିବା, ଯେଉଁଥିରେ ସମଗ୍ର ଦେଶବାସୀଙ୍କ ନଜର ଧର୍ମନିରପେକ୍ଷ ବନାମ ହିନ୍ଦୁବାଦରେ ଲାଖିରହିବ । ଏହାଦ୍ୱାରା ଆରଏସ୍ଏସ ନରେନ୍ଦ୍ର ହଟାଓ ବିଜେପି ବଚାଓ ମାନସିକତାରେ ରହିଥିବା ଜଣାପଡ଼ୁଛି