ଆମେରିକା ଟେଲିଭିଜନ୍‌ର ପ୍ରଥମ ନିଉଜ୍‌ ଆଙ୍କର୍‌ ୯୩ ବର୍ଷୀୟା ବାର୍ବରା ୱାଲ୍‌ଟର୍ସଙ୍କ ଦେହାନ୍ତ

Dec 31, 2022 - 05:35
 42
ଆମେରିକା ଟେଲିଭିଜନ୍‌ର ପ୍ରଥମ ନିଉଜ୍‌ ଆଙ୍କର୍‌ ୯୩ ବର୍ଷୀୟା ବାର୍ବରା ୱାଲ୍‌ଟର୍ସଙ୍କ ଦେହାନ୍ତ
ୱାସିଂଟନ୍‌: ନିର୍ଭିକ ସାକ୍ଷାତ୍‌କାର ଗ୍ରହଣକାରୀ ତଥା ଆମେରିକୀୟ ଟେଲିଭିଜନ୍‌ର ସର୍ବ ପ୍ରଥମ ନିଉଜ୍‌ ଆଙ୍କର୍‌ ବାର୍ବରା ୱାଲଟର୍ସଙ୍କର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିବା କଥା ଶୁକ୍ରବାର ଦିନ ‘ଏବିସି ନିଉଜ୍‌’ ରିପୋର୍ଟ କରିଛି। ସାନ୍ଧ୍ୟ ସମ୍ବାଦ ପ୍ରସାରଣରେ ସେ ଥିଲେ ‘ୟୁଏସ୍‌ ଟିଭି ନିଉଜ୍‌ ସୁପର୍‌ଷ୍ଟାର୍‌। ଏହି ନେଟ୍‌ୱାର୍କରେ ପ୍ରାୟ ୪ ଦଶନ୍ଧି ଏବଂ ତା’ ଆଗରୁ ‘ଏନ୍‌ବିସି’ରେ କାର୍ଯ୍ୟ କରିଥିବା ୱଲର୍ଟସ୍‌ଙ୍କର ଶାସକ, ରାଜାବଂଶୀୟ ଏବଂ ମନୋରଞ୍ଜନକାରୀମାନଙ୍କ ସହିତ ବିଶେଷ ସାକ୍ଷାତ୍‌କାର ସବୁ ତାଙ୍କୁ ସେଲିବ୍ରେଟିରେ ପରିଣତ କରିଥିଲା। ୱାଲ୍‌ଟର୍ସ ସାକ୍ଷାତ୍‌କାର ନେଇଥିବା ବିଶ୍ବନେତୃବୃନ୍ଦଙ୍କ ମଧ୍ୟରେ ଥିଲେ, ଫିଡେଲ୍‌ କାଷ୍ଟ୍ରୋ, ମାର୍ଗାରେଟ୍‌ ଥାଚର୍‌, ମୁଆମାର୍‌ ଗଦ୍ଦାଫି, ସଦ୍ଦାମ୍‌ ହୁସେନ୍‌ ଏବଂ ରିଚାର୍ଡ ଓ ପ୍ୟାଟ୍‌ ନିକ୍ସନ୍‌ଙ୍କ ସମୟରୁ ଆମେରିକାର ପ୍ରତ୍ୟେକ ରାଷ୍ଟ୍ରପତି ଓ ଫାଷ୍ଟ୍‌ଲେଡି। ସେ ପାଇଥିବା ୧୨ଟି ‘ଏମ୍ମି ଆୱାର୍ଡ’ ମଧ୍ୟରୁ ୧୧ଟି ପାଇଥିଲେ ‘ଏବିସି’ ନେଟ୍‌ୱାର୍କରେ କାର୍ଯ୍ୟ କରୁଥିବା ସମୟରେ। ଜଣେ ଲେଖିକା ଏବଂ ସେଗ୍‌ମେଣ୍ଟ୍‌ ପ୍ରଡ୍ୟୁସର୍‌ ଭାବେ ୱାଲ୍‌ଟର୍ସ ୧୯୬୦ ଦଶକରେ ‘ଏନ୍‌ବିସି’ର ‘ଦି ଟୁଡେ ସୋ’ରେ ସାମ୍ବାଦିକତା କ୍ୟାରିୟର୍‌ ଆରମ୍ଭ କରିଥିଲେ। ୧୯୭୬ରେ ହ୍ୟାରି ରିଜ୍‌ନର୍‌ଙ୍କ ବିପକ୍ଷରେ ପ୍ରଥମ ମହିଳା ନେଟ୍‌ୱାର୍କ ନିଉଜ୍‌ ଆଙ୍କର୍‌ ଭାବେ ୱାଲଟର୍ସ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏ କଥା ସେତେବେଳ ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ ପାଇ ଆଲୋଚ୍ୟ ବିଷୟ ପାଲଟିଥିଲା। ସେତେବେଳେ ବେତନ ବାବଦକୁ ତାଙ୍କୁ ବାଷିର୍କ ୧ ନିୟୁତ ଡଲାର୍‌ ମିଳୁଥିଲା। ସେଥିପାଇଁ ବି ସେ ସମାଲୋଚିତା ହୋଇଥିଲେ। ଖବର ଛଡ଼ା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ସେ ଆଉ ସମାଲୋଚନାର ସରବ୍ୟ ହେଲେ ନାହିଁ।