ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

Aug 7, 2022 - 05:34
 47
ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ବରରେ ପହଞ୍ଚିବେ । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ ଶ୍ରାବଣ ମାସ ଶେଷ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ଏଥିସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ଶାହ ସାମିଲ ହେବେ । ଏନେଇ ଶନିବାର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ । ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁସାରେ, ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ରାତିରେ ପହଞ୍ଚିବେ । ଦଳୀୟ ନେତା ଓ କର୍ମୀ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ କେନ୍ଦ୍ରମନ୍ତ୍ରୀ ରାତ୍ରି ଯାପନ କରିବେ । ଅଗଷ୍ଟ ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି ।ଏହାପରେ ସେ କଟକ ଗସ୍ତ କରିବେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଭୟ ଭୁବନେଶ୍ୱର ଓ କଟକ କାର୍ୟ୍ୟକ୍ରମରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ କଟକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ ଶାହ । ଏଥିସହ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ । ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରାଜନୈତିକ କାର୍ୟ୍ୟକ୍ରମରେ ଯୋଗଦେବେ । ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ସୋମବାର ଅପରାହ୍ନ ୫ଟାରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଡ଼ିଜିଟାଲ ଇଣ୍ଡିଆ ପବ୍ଲିସର ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଦି@୨୦ର ବୁକ୍ ରିଡ଼ିଂ କାର୍ୟ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬.୩୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଫେରିଯିବେ ।