ଆକ୍ସିସ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ଘଟଣା: ମୁଖ୍ୟ କାର୍ପଟଦାର ଏଟିଏମ୍ ଅଫିସର, ୯ ଲକ୍ଷ ୪୦ ହଜାର ୮୦୦ ଟଙ୍କା ଉଦ୍ଧାର

Apr 27, 2023 - 05:33
 25
ଆକ୍ସିସ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ଘଟଣା: ମୁଖ୍ୟ କାର୍ପଟଦାର ଏଟିଏମ୍ ଅଫିସର, ୯ ଲକ୍ଷ ୪୦ ହଜାର ୮୦୦ ଟଙ୍କା ଉଦ୍ଧାର
କଟକ: ମଧୁପାଟଣାରେ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ ଲୁଟ୍ ପଛରେ ମୁଖ୍ୟ କାର୍ପଟଦାର ହେଉଛି ଜଣେ ଏଟିଏମ୍ ଅଫିସର। ଅଚଳ ହୋଇଥିବା ଏହି ଏଟିଏମ୍ ମେସିନ୍ ମରାମତି କରିବାକୁ ଆସି ସେ ୯ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଲୁଟି ନେଇଥିଲା। ଏହି ଲୁଟ୍ ମାମଲାରେ ମଧୁପାଟଣା ଥାନା ପୁଲିସ ବୟାଳିଶମୌଜା ଥାନା ଝିଙ୍କିରିଆରେ ରହୁଥିବା ନେମାଳ ଝାଡ଼େଶ୍ବରପୁରର ଏଟିଏମ୍ ଅଫିସର ରାଜା ଓରଫ ହୃଷିକେଶ ସାହୁ(୨୪)କୁ ଗିରଫ କରିଛି। ତା ନିକଟରୁ ଚୋରି ହୋଇଥିବା ୯ ଲକ୍ଷ ୪୦ ହଜାର ୮୦୦ ଟଙ୍କା, ଫ୍ଲାସ୍ କଟର, ଏକ ଟିଭିଏସ୍ ଆପାଚି ବାଇକ୍, ୧୫ଟି ଏଟିଏମ୍ ମେସିନ୍ ଚାବି ଜବତ ହୋଇଛି। ସୂଚନା ଅନୁଯାୟୀ, ମଧୁପାଟଣା ଥାନା ନୂଆପଡ଼ା ଅଞ୍ଚଳରେ ଥିବା ଆକ୍ସିସ୍ ବ୍ୟାଙ୍କ ଏଟିଏମରେ ଗଲା ୨୨ ତାରିଖ ରାତିରେ ୯ ଲକ୍ଷ ୪୯ ହଜାର ୪୦୦ ଟଙ୍କା ହଡ଼ପ୍ ହୋଇଥିବା ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ସିକିଓର ଭ୍ୟାଲୁ ଇଣ୍ଡିଆ ଲିମିଟେଡର ଦାୟିତ୍ବରେ ଲୋକେସନ୍ ଇନଚାର୍ଜ ଲଳିତ ମୋହନ ସେନାପତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ପରେ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଥିଲା। ଏହି ଏଟିଏମ କାଉଣ୍ଟରରେ ଟଙ୍କା ଜମା କରିବା ଦାୟିତ୍ବରେ ଥିବା ସିକିଓର ଭ୍ୟାଲୁ ଇଣ୍ଡିଆ ଗଲା ୧୮ ତାରିଖରେ ଟଙ୍କା ଜମା କରିଥିଲା। ୨୨ ତାରିଖରେ ଏଟିଏମରୁ ୯ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଗାଏବ୍ ଥିବା ସଂସ୍ଥା ଜାଣିବାକୁ ପାଇଥିଲା। ଏହି ଘଟଣାର ତଦନ୍ତ ପରେ ଏଟିଏମ୍ ଅଫିସର ରାଜେଶ ଓରଫ ହୃଷିକେଶ ସାହୁର ସମ୍ପୃକ୍ତି ସାମନାକୁ ଆସିଥିଲା। ଆକ୍ସିସ୍ ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ଅଫିସର ଭାବେ କାର୍ଯ୍ୟ କରେ। ଗଲା ୨୦ ତାରିଖରେ ନୂଆପଡ଼ା ଆକ୍ସିସ ବ୍ୟାଙ୍କ ଏଟିଏମରେ ତ୍ରୁଟି ଥିବା ନେଇ ମୁଖ୍ୟାଳୟରୁ ଅଭିଯୋଗ ପାଇଥିଲା। ଏହି ଅଭିଯୋଗ ମିଳିବା ପରେ ସେଦିନ ସନ୍ଧ୍ୟାରେ ସେ ଉକ୍ତ ଏଟିଏମକୁ ଯାଇଥିଲା। ଏଟିଏମ ମେସିନରେ ଟଙ୍କା ରଖାଯାଉଥିବା ସ୍ଥାନ ତାଲା ପଡ଼ିନଥିବା ଦେଖିବାକୁ ପାଇଥିଲା। ଏହି ଟଙ୍କା ଚୋରି କରିବାକୁ ଯୋଜନା କରିଥିଲା। ୨୨ ତାରିଖରେ ସେ ଏକ ଫ୍ଲାସ୍ କଟର କିଣିଥିଲା। ସେଦିନ ରାତି ପ୍ରାୟ ୩ଟା ବେଳେ ସେ ଉକ୍ତ ଏଟିଏମକୁ ପୁଣି ଥରେ ଯାଇଥିଲା। ସେ ପ୍ରଥମେ ଉକ୍ତ ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲା। ସେହି ଅଞ୍ଚଳକୁ ଅନ୍ଧାର କରିବାକୁ ସେ ଏଭଳି କରିଥିଲା। ପରେ ଏଟିଏମ୍ କାଉଣ୍ଟର ଭିତରେ ପଶି ସିସି କ୍ୟାମେରା ତାର କାଟିଦେଇଥିଲା। ଗୋଟିଏ ପଟେ ଏଟିଏମ୍ ମେସିନର ବାହାର ପଟ ତାଲା ଖୋଲା ଥିବା ବେଳେ ଅନ୍ୟପଟେ ଏଟିଏମରେ କ୍ୟାସ ଚାମ୍ବରର ପାସଵାର୍ଡ ଜାଣିଥିବାରୁ ଏହାକୁ ଖୋଲିବା ରାଜାକୁ ସହଜ ହୋଇଥିଲା। ମୋଟ ୯ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଲୁଟିନେଇଥିଲା। ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା। ରାଜାକୁ ଠାବ କରିବା ପରେ ତାକୁ ଗିରଫ କରିଥିଲା। ତାକୁ ଗିରଫ ପରେ ସେ ଏହି ଟଙ୍କାରୁ ୮ ହଜାର ୬୦୦ ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଥିଲା। ଅବଶିଷ୍ଟ ୯ ଲକ୍ଷ ୪୦ ହଜାର ୮୦୦ ଟଙ୍କା ଝିଙ୍କିରିଆରେ ଥିବା ତା’ ଭଡ଼ା ଘରୁ ମଧୁପାଟଣା ଥାନା ପୁଲିସ ଜବତ କରିଥିବା ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।