ଅଭୟାରଣ୍ୟ ମଧ୍ୟରେ ହେଉଛି ବେଧଡକ ଗୋରୁ ଚାଲାଣ

Jul 5, 2018 - 14:50
 155
ଅଭୟାରଣ୍ୟ ମଧ୍ୟରେ ହେଉଛି ବେଧଡକ ଗୋରୁ ଚାଲାଣ
ବୌଦ୍ଧ,୫/୭ (ସକାଳଖବର)- ବୌଦ୍ଧ ଜିଲା ଗତ କେତେ ବର୍ଷ ହେଲା ଗୋରୁ ବେପାରୀ ଓ ଗୋ-ଚାଲାଣକାରୀଙ୍କ ଚରାଭୂଇଁ ପାଲଟିଛି । କେତେମାସ ହେଲା ଅବାଧ ଗୋରୁ ଚାଲାଣ କରିବା ପାଇଁ ମାଫିଆମାନେ ଜାତୀୟ ରାଜପଥକୁ ବ୍ୟବହାର ନକରି ଅଭୟାରଣ୍ୟ ମଧ୍ୟ ଦେଇ କରୁଛନ୍ତି ବେଧଡକ ଗୋରୁ ଚାଲାଣ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋରୁମାଫିଆଙ୍କ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋରୁ ଚାଲାଣକାରୀ ମାନେ ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଦେଇ ଗୋରୁ ଚାଲାଣ କରୁଥିବା ବେଳେ ବାଟରେ ବିଭିନ୍ନ ଥାନା ଓ ଚେକଗେଟ ଗୁଡିକରେ ହଇରାଣ ହେବା ସହ ମୋଟା ଅଙ୍କର ବଟି ଦେବାକୁ ପଡୁଥିଲା । ଏହା ସହିତ ବିଭିନ୍ନ ସଂଗଠନ ଗୁଡିକ ମଧ୍ୟ ଏହି ବେଆଇନ ଗୋରୁ ଚାଲାଣକୁ ଅନେକ ସ୍ଥାନରେ ବିରୋଧ କରୁଥିଲେ । କେତେକ ଅସାମାଜିକ ଲୋକ ମଧ୍ୟ ବେପାରୀ ଓ ମାଫିଆ ମାନଙ୍କ ଠାରୁ ଧମକ ଚମକ ଦେଇ ଚାନ୍ଦା ଅସୁଲ କରୁଥିବା ଏବଂ ଆକ୍ରମଣ କରୁଥିବା ଦେଖାଯାଉଥିଲା । ମାତ୍ର ବିଭିନ୍ନ ଚାନ୍ଦା, ଆକ୍ରମଣ ଓ ହଇରାଣରୁ ମୁକ୍ତି ପାଇବା ପାଇଁ ଗୋରୁ ମାଫିଆ ମାନେ ଏବେ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବିଭାଗର ଅଭୟାରଣ୍ୟର ଦୁର୍ଗମ ଚଲାପଥରେ ଗୋ ଚାଲାଣ କରୁଥିବା ଜଣାପଡିଛି । ଜିଲାରେ ହେଉଥିବା ଅବାଧ ଗୋ ଚାଲାଣ ଉପରେ ଆଙ୍କୁଶ ଲଗାଇବା ପାଇଁ ପୋଲିସର ଆନ୍ତରିକତାର ଘୋର ଅଭାବର ସୁଯୋଗ ନେଇ ଜିଲାର ସାପ୍ତାହୀକ ଗୋରୁ ହାଟ ଗୁଡିକରୁ ଶହ ଶହ ସଂଖ୍ୟାରେ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ମହାନଦୀ ବନ୍ୟପ୍ରାଣୀ ବିଭାଗ ପଦ୍ମତୋଳା ଅଭୟାରଣ୍ୟର ପ୍ରବେଶ ପାଇଁ ବହୁ କଟକଣା ଥିବା ସ୍ୱତ୍ୱେ କିପରି ଗୋ ଚାଲାଣ ହେଉଛି ସେ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି । ଜିଲାର ତିଲେଶ୍ୱର, ଗୁଦଗୁଦା, ଦହ୍ୟା , ନାଏକପଡା ଆଦି ସାପ୍ତାହିକ ଗୋରୁ ହାଟରୁ ଶହ ଶହ ସଂଖ୍ୟାରେ ଗୋରୁ କିଣି ସେଗୁଡିକର ଚାଲାଣ କରାଯିବା ପାଇଁ ଗୋଟିଏ ପଟେ ବଡ ବଡ ଟ୍ରକ ବ୍ୟବହାର କରି ଜାତୀୟ ରାଜପଥ ଦେଇ ନିଆଯାଉଥିବା ବେଳେ ଅନ୍ୟପଟେ ଚଲାଇ ଚଲାଇ ପଦ୍ମତୋଳା ଅଭୟାରଣ୍ୟ ଦେଇ ଶହଶହ ସଂଖ୍ୟାରେ ଗାଇଗୋରୁ ନୟାଗଡ ଓ ଖୋର୍ଦ୍ଧା ଜିଲା ଦେଇ ବାହାର ରାଜ୍ୟକୁ ମାଫିଆ ମାନଙ୍କ ଦ୍ୱାରା ଚାଲାଣ କରାଯାଉଛି । ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଅଭୟାରଣ୍ୟ ଭିତରକୁ ବିନା ଅନୁମତିରେ ପ୍ରବେଶ କଲେ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିବାବେଳେ ଗୋ ଚାଲାଣ ବେଳେ ବିଭାଗ କେଉଁଠି ଶୋଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।