ଅଚୁ୍ୟତ ସାମନ୍ତ ଧରିଲେ ମୟୂରଭଞ୍ଜ ମଙ୍ଗ
ବାରିପଦା(ଦିଲ୍ଲୀପ କୁମାର ମହାନ୍ତି)(୦୫/୦୬)- ପରିବର୍ତ୍ତିତ ପରିସ୍ଥିତିରେ ବିଜେଡ଼ି ହାଇକମାଣ୍ଡ ତାଙ୍କର ମୟୂରଭଞ୍ଜ ଦୁର୍ଗର ସୁରକ୍ଷା ପ୍ରାଚୀରକୁ ସୁଦୃଢ଼ କରାଇବା ନିମନ୍ତେ ଏକ ଚକ୍ରବୁ୍ୟହ ସୃଷ୍ଟି କରାଇବାର ଉଦ୍ୟମ ଚଳାଇଛନ୍ତି । ଏଥି ନିମନ୍ତେ ବିଜଦର ରାଜ୍ୟସଭା ସାଂସଦ ଡ଼ଃ ଅଚୁ୍ୟତ ସାମନ୍ତଙ୍କ ମୁଣ୍ଡରେ ସେନାପତିର ପଗଡ଼ି ଭିଡ଼ାଇ ଦେଇଛନ୍ତି । ଜୁନ ୪ରେ ନବୀନ ନିବାସରୁ ସାଂସଦ ଡ଼ଃ.ସାମନ୍ତଙ୍କୁ ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ସହପର୍ଯ୍ୟବେକ୍ଷକ ନିଯୁକ୍ତିର ଘୋଷଣା ହେବା ପରେ ବାରିପଦା ସହରର ଷ୍ଟେସନ ଆଥେଲେଟିକ ପଡ଼ିଆରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ଅଙ୍କର ଅସମାପ୍ତ ସୂତ୍ରର ସମାଧାନ ହୋଇଯାଇଛି ।
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ୨୦୧୧ ଜନଗଣନା ଆଧାରରେ ଜିଲ୍ଲାର ଜନସଂଖ୍ୟା ୨୫ ଲକ୍ଷ୧୯ ହଜାର ୭୩୮ । ଉକ୍ତ ଜନସଂଖ୍ୟା ମଧ୍ୟରୁ ସାନ୍ତାଳ, ହୋ, ଭୂମିଜ, ମୁଣ୍ଡାରୀ ଆଦି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ୧୪ଲକ୍ଷ ୭୯ହଜାର୫୭୬ । ଏମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତିମାନଙ୍କ ସଂଖ୍ୟା ୧୪,୩୯,୦୦୨, ସହରାଂଚଳରେ ୪୦,୫୭୪ ଜଣ ବସବାସ କରିଆସୁଛନ୍ତି । ନିର୍ବାଚନରେ ବୋଥଗୁଡ଼ିକରେ ନିଯୁକ୍ତ ଦଳୀୟ ଏଜେଣ୍ଟଙ୍କ ଭୋଟର ଲିଷ୍ଟକୁ ତର୍ଜମା କଲେ ଭୋଟଦାନରୁ ବିରତ ରହୁଥିବା ଭୋଟରମାନଙ୍କ ମଧ୍ୟରେ ସାଧାରଣ ବର୍ଗର ଭୋଟରଙ୍କ ସଂଖ୍ୟା ଅନ୍ୟତୁଳନାରେ ସର୍ବାଧିକ । ତେଣୁ ଜିଲ୍ଲାରେ ଏହି ଆଦିବାସୀ ବର୍ଗର ଭୋଟରମାନେ ରାଜନୈତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରାଇଥାନ୍ତି । ଗତ ଜିଲ୍ଲାପରିଷଦ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲା ବିଜଦର ସଫଳତାର ହାର ନୈରାଶ୍ୟଜନକ ରହିଥିଲା । ଯାହାକୁ ନେଇ ଦଳର ହାଇକମାଣ୍ଡ ନବୀନ ଚିନ୍ତିତ ହୋଇପଡ଼ିଥିଲେ । ତେଣୁ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣଙ୍କୁ ବିଜଦ ସପକ୍ଷରେ ଫେରାଇ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟସଭା ସାଂସଦ ଡ଼ଃ ସାମନ୍ତଙ୍କୁ ବିଜଦର ମୟୂରଭଞ୍ଜ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇ ଜିଲ୍ଲାର ମଙ୍ଗକୁ ଧରାଇ ଦେଇଛନ୍ତି ।
ଡ଼ଃ ସାମନ୍ତଙ୍କ କିସ ବିଶ୍ୱ ବିଦ୍ୟାଳର ପୃଥିବୀର ସର୍ବ ପ୍ରଥମ ଆଦିବାସୀ ବିଶ୍ୱ ବିଦ୍ୟାଳୟ । ଏଠାରେ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୨ ହଜାର ଛାତ୍ରଛାତ୍ରୀ ପାଶ କରିସାରିଛନ୍ତି । ଏହା ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୨ ହଜାର ଆଦିବାସୀ ଛାତ୍ରଛାତ୍ରୀ ଦେୟମୁକ୍ତ ଭାବେ ପାଶ କରି ସାରିଥିବା ବେଳେ ୧୮ ଶହ ବିଭିନ୍ନ ନାମୀଦାମୀ କମ୍ପାନୀରେ ମୋଟା ଅଙ୍କ ଦରମାରେ ଚାକିରୀ କରୁଛନ୍ତି । ଏହି ସମସ୍ତ ପିଲାମାନଙ୍କୁ ଡ଼ଃ ସାମନ୍ତ ନିଜସ୍ୱ ଅର୍ଥରେ ବିଶ୍ୱର ବିଭିନ୍ନ ଦେଶ ବୁଲାଇଥାନ୍ତି । ପୁଣି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିକାଶ ଶିକ୍ଷା ଦ୍ୱାରା ସମ୍ଭବ ହୋଇପାରିବ । ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ଡ଼ଃ ସାମନ୍ତ ବାରିପଦା ସହରଠାରୁ ଅଳ୍ପ କିଛି ବ୍ୟବଧାନରେ କିସର ଦ୍ୱିତୀୟ କ୍ୟାମ୍ପସ ଖୋଲିବାକୁ ଯାଉଥିବା ବେଳେ ତାଙ୍କର ବୈଦୁ୍ୟତିକ ଗଣମାଧ୍ୟମରେ ଦୈନିକ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ କରାଇବାକୁ ଯାଉଛନ୍ତି । ଏହି ସମସ୍ତ କାରଣରୁ ଡ଼ଃସାମନ୍ତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛନ୍ତି ।
ଗତ ମଇ ପହିଲା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ ଜନ୍ମ ବାର୍ଷିକ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅଚୁ୍ୟତ ସାମନ୍ତ ଯୋଗ ଦେବାପରେ ଜିଲ୍ଲାରେ ଏକ ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ତାଙ୍କର ମୟୂରଭଞ୍ଜ ଜିଲ୍ଲାରେ ସହପର୍ଯ୍ୟବେକ୍ଷକ ନିଯୁକ୍ତି ଜିଲ୍ଲାରେ ରାଜନୈତିକ ଛବିକୁ ସ୍ପଷ୍ଟ କରାଇ ଦେଇଛି । ତେବେ ବିଜଦର ହାଇକମାଣ୍ଡ ନବୀନଙ୍କ ଚାଣକ୍ୟ କୁଟନୀତି ଦଳ ପାଇଁ କେତେଦୂର ସଫଳତା ଆଣିଦେଇ ପାରିବ ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ।