ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ମିଲଟ ଶକ୍ତି କାଫେ ବି ଲୋକାର୍ପିତ

Apr 23, 2023 - 07:16
 24
ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ମିଲଟ ଶକ୍ତି କାଫେ ବି ଲୋକାର୍ପିତ
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିବସକୁ କୃଷକ ଦିବସ ରୂପେ ପାଳନ କରୁଛନ୍ତି ରାଜ୍ୟ ସରକାର। ଆଜି ଅଖି ମୁଠି ଅନୁକୂଳ ପାଇଁ ପାଗ ସମ୍ପୂର୍ଣ୍ଣ ଉପଯୋଗୀ ରହିଛି। ମୁଖ୍ୟମନ୍ତ୍ରୀ ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ ସାହାଯ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଛନ୍ତି। ଏହାପରେ ସେ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟଶସ୍ୟର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ ଆଉଟଲେଟ୍ ଖୋଲା ଯାଇ ସାରିଲାଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ର ଉଦଘାଟନ ମଧ୍ୟ କରିଥଲେ। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘ ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ୫ ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରା ଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଲୋକ ସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ ଏକ କ୍ରେଚ୍’କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତମାନ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।