୩,୭୦୦ରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖିଛନ୍ତି ୟୁକ୍ରେନ ନାଗରିକ, ସଙ୍ଗୀନ ଅଭିଯୋଗ ଆଣିଲା ରୁଷ
ନୂଆଦିଲ୍ଲୀ ୦୫।୦୩: ରୁଷ ଶୁକ୍ରବାର ୟୁକ୍ରେନ ନାଗରିକଙ୍କ ଉପରେ ଲଗାଇଛି ସଙ୍ଗୀନ ଅଭିଯୋଗ। ୟୁକ୍ରେନ ନାଗରିକ ବିଭିନ୍ନ ସହରରେ ୩୭୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ବଳପୂର୍ବକ ବନ୍ଧକ ରଖିଥିବା ଅଭିଯୋଗ କରିଛି ରୁଷ। ତାର ସେନା ବିଦେଶୀ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ବାହାର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଥିବା ରୁଷ କହିଛି। ୟୁକ୍ରେନ ସ୍ଥିତ ଜାପୋରିଜିଆ ପରମାଣୁ ରିଆକ୍ଟର ଉପରେ ହମଲା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକରେ ରୁଷର ସ୍ଥାୟୀ ପ୍ରତିନିଧି ବାସିଲି ନେମ୍ବେଜିଆ ଏହା କହିଛନ୍ତି।
ସେ କହିଛନ୍ତି, ୟୁକ୍ରେନୀ ନାଗରିକଙ୍କ ଦ୍ଵାରା ବଳପୂର୍ବକ ବନ୍ଧକ କରାଯାଇଥିବା ବିଦେଶୀ ନାଗରିକଙ୍କ ସଂଖ୍ୟା ଚକିତ କରିବା ଭଳି ରହିଛି। ଖାରକିଭରେ ବନ୍ଧକ ରଖାଯାଇଥିବା ନାଗରିକଙ୍କ ମଧ୍ୟରେ ଭାରତର ୩୧୮୯ ନାଗରିକ, ଭିଏତନାମର ୨୭୦୦ ନାଗରିକ, ଚୀନର ୨୦୨ ନାଗରିକ ସାମିଲ୍। ସେହିପରି ସୁମିରେ ୫୭୬ ଭାରତୀୟ ନାଗରିକ, ୧୦୧ ଘାନାର ନାଗରିକ ଏବଂ ୧୨୧ ଚୀନ ନାଗରିକ ଏଥିରେ ସାମିଲ୍ ଅଛନ୍ତି। ନେମ୍ବେଜିଆ କହିଛନ୍ତି, ରୁଷ ସେନା ବିଦେଶୀ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ବାହାର କରିବା ପାଇଁ ସବୁ କିଛି କରୁଛନ୍ତି। ହେଲେ ୟୁକ୍ରେନ ସବୁ ବିଗାଗଡିବାକୁ ଉଦ୍ୟମ କରୁଛି।
ସେ କହିଛନ୍ତି, ବିଭିନ୍ନ ଛକରେ ୧୩୦ ଆରାମଦାୟକ ବସ୍ ଭାରତୀୟ ଛାତ୍ର ଏବଂ ଅନ୍ୟ ନାଗରିକଙ୍କୁ ବଞ୍ଚାଇବା ପାଇଁ ଖାରକିଭ୍ ଏବଂ ସୁମିକୁ ଯାତ୍ରା କରିବାକୁ ପ୍ରସ୍ତୁତ। ଅନ୍ୟପଟେ ଭାରତ ଯୁଦ୍ଧଗ୍ରସ୍ତ ୟୁକ୍ରେନର ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ନିଜ ନାଗରିକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ରୁଷ ଏବଂ ୟୁକ୍ରେନକୁ ଅସ୍ତ୍ର ବିରତି ଦାବି କରିଛି। ଯଦ୍ଵାରା ବଳକା ଭାରତୀୟ ନାଗରିକଙ୍କୁ ବାହାର କରାଯାଇ ପାରିବ।
ଯୁଦ୍ଧଗ୍ରସ୍ତରେ କିଛି ଦେଶର ନାଗରିକଙ୍କୁ ୟୁକ୍ରେନର ଲୋକ ବନ୍ଧକ ରଖାଯାଇଥିବା କହି ସାରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ତାଙ୍କ ବୟାନ ଉପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଆପଣଙ୍କୁ ସର୍ବଦା ସେହି ବ୍ୟକ୍ତିଙ୍କୁ ପ୍ରଶ୍ନ କରିବା ଉଚିତ୍, ଯିଏ ଏହି ସବୁ ବୟାନ ଦେଉଛନ୍ତି।