ିଅପରେସନ୍ '' ସୁନ୍ଦରୀ " ପାଇଁ ସାତକୋଶିଆରେ ଯଶୋଦା

Nov 3, 2018 - 18:56
 162
ିଅପରେସନ୍ '' ସୁନ୍ଦରୀ " ପାଇଁ ସାତକୋଶିଆରେ ଯଶୋଦା
ଅନୁଗୋଳ, ୩/୧୧ (ସକାଳଖବର): ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ସାତକୋଶିଆ ଅଭୟାରଣ୍ୟ କୁ ଆସିଲା ଯଶୋଦା । ଗତ କାଲି ଚନ୍ଦକା ଗୋଡିବାରୀରେ ଥିବା କୁମୁକି ହାତୀ ଯଶୋଦାକୁ ଟ୍ରକ ଯୋଗେ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଛି । ଏବଂ ଯଶୋଦା ସହିତ ଚାରି ଜଣ ମାହୁନ୍ତ ମଧ୍ୟ ଆଜି ଭୋର ୪ ଟା ବେଳେ ସାତକୋଶିଆ ପହଞ୍ଚିଛନ୍ତି । ବାଘୁଣୀ ଜଙ୍ଗଲ ଭିତରେ ଲୁଚି ରହିଥିବା ବେଳେ ତିନୋଟି ଟିମ ଟ୍ରାଙ୍କୁଲାଇଜ କରି ନ ପାରି ବିଫଳ ହୋଇଛନ୍ତି । ଦୁଇଟି ପର୍ୟ୍ୟାୟରେ ଟ୍ରାଙ୍କୁଲାଇଜ ଉଦ୍ୟମ କରାଯାଇଥିଲେ ମଧ୍ୟ ସବୁ ଫେଲ୍ ମାରିଛି। ମଧ୍ୟପ୍ରଦେଶ କାହ୍ନା ଓ ପେଞ୍ଚ ରୁ ଆସିଥିବା ଅଭିଜ୍ଞ ଟ୍ରାଙ୍କୁଲାଇଜ ଟିମ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାର ସ୍ଥିତି ଓ ପରିବେଶ କୁ ଅନୁଧ୍ୟାନ କରିବା ପରେ ହାତୀ ଆସିବା ଜରୁରୀ ବୋଲି କହିଥିଲେ। ହାତୀ ପିଠିରେ ବସି ବାଘୁଣୀ ଙ୍କୁ କାବୁ କରିବାକୁ ସହଜ ହୋଇ ପାରିବ ବୋଲି ଟିମ୍ କହିଛନ୍ତି।ଏହାପରେ ବନବିଭାଗ ଚନ୍ଦକା ରୁ ହାତୀ ଆଣିଥିବା ଜଣାପଡିଛି। ତେବେ ବାଘୁଣୀକୁ ଧରିବା ପରେ ନନ୍ଦନକାନକୁ ପଠାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଗରୁ ସୂଚନା ଦେଇ ସାରିଛନ୍ତି। ସୂଚନା ଯେ ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଞ୍ଚଳ ଅଶାନ୍ତ ହୋଇପଡିଛି। ନିରୀହ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ପରେ ଲୋକ ଭୟଭୀତ ହୋଇ ପଡିଛନ୍ତି। ସଂଧ୍ୟା ହେଲେ ଘର ତାଟି କବାଟ ପଡି ଯାଉଛି। ବାଘୁଣୀ ସୁନ୍ଦରୀ ଆତଙ୍କ ଦିନଠାରୁ ଲୋକଙ୍କ ଜୀବନ ଜୀବିକା ଏକ ପ୍ରକାର ଠପ୍ ହୋଇ ଯାଇଛି। ସ୍କୁଲକୁ ମଧ୍ୟ ପିଲାମାନେ ପାଠ ପଢିବାକୁ ଯାଉନାହାନ୍ତି। ଅପରପକ୍ଷେ ହାତିବାରୀ ଓ କଂଜରା ମୁଣ୍ଡାସାହି ଘଟଣା ପରଠାରୁ ପୁଲିସ ଗିରଫଦାରୀ ଭୟରେ ଗାଁ ଲୋକେ ଘରକୁ ଯାଉନାହାନ୍ତି। ପୁଣି ବାଘୁଣୀ ଆକ୍ରମଣର ପ୍ରଥମ ଘଟଣା ବେଲେ ବନବିଭାଗ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମନ୍ତବ୍ୟ ବଦଲାଇ ବାଘୁଣୀ କୋର ଏରିଆକୁ ଗଲାଣି ଆଉ ଗାଁ ମୁହାଁ ହେବନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମାତ୍ର କିଛି ଦିନ ପରେ ବାଘୁଣୀ ପୁଣି ଗାଈ ଗୋରୁ ମାରିବା ଓ ମଣିଷ ମାରିବା ଅଭିଯୋଗ ଆସିଥିଲା। ବନବିଭାଗର ମନ୍ତବ୍ୟକୁ ନେଇ ସାତକୋଶିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିଲା। ଆଉ ଆଇନ ଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ହେବା ସହ ପୁଲିସ - ଜନତା ମୁହାଁମୁହିଁ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା।ଏହାପରେ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାକୁ ଜୋରଦାର୍ ଉଦ୍ୟମ କରିବା ସତ୍ତ୍ୱେ ଦୁଇଟି ପର୍ୟ୍ୟାୟରେ ବିଫଳ ହୋଇଛି। ତେଣୁ ଟ୍ରାଙ୍କୁଲାଇଜ କରିବା ଦିନ ଯେତିକି ଗଡିଚାଲିଛି ଲୋକମାନଙ୍କ ମଧ୍ୟରେ ବନବିଭାଗ ପ୍ରତି ସେତିକି ସନ୍ଦେହ ଅବିଶ୍ଵାସ ବଢି ବଢି ଚାଲିଛି। ତେବେ ଯଶୋଦା ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଟ୍ରାଙ୍କୁଲାଇଜ କୁ ନେଇ ଟିକେ ବିଶ୍ବାସ ଆସିଥିବା ଜଣାଯାଇଛି। ଆଜି ବାଘୁଣୀକୁ ଟ୍ରାକରେ ରଖାଯାଇ ତାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଟ୍ରାଙ୍କୁଲାଇଜ ଟିମ। ଆସନ୍ତା କାଲି ଠାରୁ ଟ୍ରାଙ୍କୁଲାଇଜ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନାରୁ ଜଣାଯାଇଛି।