ସୌର ସାଇକେଲର ବିକାଶ ପାଇଁ ରାକେଶକୁ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର

Aug 11, 2018 - 15:28
 182
ସୌର ସାଇକେଲର ବିକାଶ ପାଇଁ ରାକେଶକୁ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର
ଭଦ୍ରକ,୧୧/୮ (ସକାଳଖବର): ସୌର ସାଇକେଲ୍ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ଗ୍ରାମର ରାକେଶ ନାୟକ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି । ଭଦ୍ରକ ବିଜେପି ଜିଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ସହ ରାକେଶ ଭୁବନେଶ୍ୱରସ୍ଥିତ ଶ୍ରୀ ପ୍ରଧାନଙ୍କ ବାସଭବନରେ ସାକ୍ଷାତ୍ କରି ନିଜ ପ୍ରକଳ୍ପ ସଂପର୍କରେ ଅବଗତ କରିଥିଲେ । ଆଗାମୀ ଦିନରେ ଦିବ୍ୟାଙ୍ଗଙ୍କ ପାଇଁ ଟ୍ରାଇ ସାଇକେଲ୍ ଓ ଚାଷ ପାଇଁ ବ୍ୟବହୃତ ପାୱାର ଟିଲର କିପରି ସୌରଶକ୍ତିରେ ଚାଲିପାରିବ ସେ ସଂପର୍କରେ ପ୍ରସ୍ତୁତ କରିଥିବା ଚିନ୍ତାଧାରା ବୁଝାଇ କହିଥିଲେ । ସେ ନିର୍ମାଣ କରିଥିବା ସୌର ସାଇକେଲ୍ ର ବିକାଶ ଓ ପ୍ରସ୍ତୁତ କରିବାକୁ ଥିବା ଟ୍ରାଇସାଇକେଲ୍ ଓ ପାୱାର ଟିଲର ନିର୍ମାଣ ଦିଗରେ ରାକେଶ ଦକ୍ଷତା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହଯୋଗ କାମନା କରିଥିଲେ । ତେବେ ଶ୍ରୀ ପ୍ରଧାନ ରାକେଶଙ୍କ ପ୍ରତିଭାର ବିକାଶ ପାଇଁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ସମସ୍ତ ପ୍ରକାର ବୈଷୟିକ ସହଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଆଇଓସିଏଲ୍ ବରିଷ୍ଠ ପଦାଧିକାରୀଙ୍କୁ ରାକେଶ ନିର୍ମାଣ କରିଥିବା ସୌର ସାଇକେଲ୍ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏ ପ୍ରକାର ପ୍ରତିଶୃତି ପାଇଁ ରାକେଶ ଅତିମାତ୍ରାରେ ଉସôାହିତ ହୋଇଛନ୍ତି । ୨ ମାସ ପୂର୍ବେ ଦୃଢ଼ ଇଚ୍ଛାଶକ୍ତି ରାକେଶଙ୍କ ପାଇଁ ଆଣି ଦେଇଥିଲା ଏକ ନୂତନ ପରିଚୟ । ନିଜର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ରାକେଶ ଉଦ୍ଭାବନ କରିଥିବା ସୌରଚାଳିତ ସାଇକେଲ୍ ସଂପର୍କରେ ପ୍ରଥମେ ଚଳିତ ବର୍ଷ ଜୁନ୍ ରେ ଖବର ପ୍ରକାଶ ପାଇଥିଲା । ଫଳରେ ରାତାରାତି ରାକେଶ ଏକ ଚର୍ଚ୍ଚିତ ଚେହେରା ବନିଯାଇଥିଲେ । ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ରାକେଶଙ୍କୁ ତାଙ୍କର ସଫଳତା ପାଇଁ ବଧେଇ ଜଣାଇଥିଲେ । ମିଳିଥିଲା ସହଯୋଗର ପ୍ରତିଶ୍ରୁତି । ହେଲେ ପ୍ରତିଶ୍ରୁତି ସତ୍ୱେ ସେ ପ୍ରସ୍ତୁତ କରିଥିବା ପ୍ରକଳ୍ପର ବିକାଶ ଦିଗରେ କୌଣସି ସହଯୋଗ ଏ ପର୍ଯ୍ୟନ୍ତ ମିଳିପାରିନଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ତାଙ୍କର ସ୍ୱପ୍ନ ଏକ ନିର୍ଦ୍ଧିଷ୍ଟ ରୂପ ନେବ ବୋଲି ରାକେଶ ଏବେ ଦୃଢ଼ ଆଶାବାଦୀ । ଏଠାରେ ସୂଚନାଯୋଗ୍ୟ, ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ଗ୍ରାମର ଜଣେ କ୍ଷୁଦ୍ର ଚାଷୀ ସୁବାଷ ଚନ୍ଦ୍ର ନାୟକଙ୍କ ପୁତ୍ର ରାକେଶ । ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରିବା ପରେ ବରପଦାସ୍ଥିତ ବୈଷୟିକ ବିଦ୍ୟାଳୟରେ ଇଲେକ୍ଟି୍ରକାଲ ଟ୍ରେଡ୍ ରେ ଡିପ୍ଲୋମା ହାସଲ କରିଥିଲେ । ଚାକିରୀ ଅନ୍ୱେଷଣ ସମୟରେ ଭାଇ ଜ୍ୟୋତିଙ୍କ ସହଯୋଗରେ ନିଜର ବୈଷୟିକ ଜ୍ଞାନ ପ୍ରୟୋଗ କରି ସେ ଏହି ସୌରଚାଳିତ ସାଇକେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ୨ ମାସ ମଧ୍ୟରେ ସେ ଏଥିରେ ସଫଳତା ପାଇଥିଲେ । ସୌରଚାଳିତ ସାଇକେଲ୍ ନିର୍ମାଣ ପାଇଁ ତାଙ୍କୁ ଆବଶ୍ୟକ ପଡିଥିଲା ୨ଟି ସୌର ପ୍ଲେଟ୍, ୪ଟି ୧୨ ଭୋଲ୍ଟ ବ୍ୟାଟେରୀ, ଏକ ମୋଟର ଓ ଅନ୍ୟ କିଛି ବାଇକ୍ ରେ ବ୍ୟବହୃତ ଯନ୍ତ୍ରାଂଶ । ଏହା ସଂପୂର୍ଣ୍ଣ ପରିବେଶ ଉପଯୋଗୀ ଓ ଏହି ସାଇକେଲ୍ ଘଂଟା ପ୍ରତି ୩୦ ରୁ ୩୫ କିଲୋମିଟର ବେଗରେ ଗତି କରିପାରୁଥିବା ଡେମୋ ପ୍ରଦର୍ଶନ ସମୟରେ ଦେଖାଯାଇଥିଲା ।