ସାବଧାନ ! କାମୁଡ଼ିବ ସାପ

Sep 14, 2023 - 06:22
 49
ସାବଧାନ ! କାମୁଡ଼ିବ ସାପ
ରାଉରକେଲା: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଚିକିତ୍ସା ସେବାର ମାନରେ ଉନ୍ନତି ତଥା ଭିତ୍ତିଭୂମିର ବିକାଶ କରାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ତେ​ବେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ର ସ୍ଥିତି ଦେଖିଲେ ସରକାର କେତେ ମାତ୍ରାରେ ସେବାକୁ ତ୍ବରାନ୍ବିତ କରିଛନ୍ତି। ଏଠାରେ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଉନଥିବାରୁ ରୋଗୀ ବାରଣ୍ଡାରେ ଶୋଇବା ଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାଧୁନିକ ମେସିନର ଅଭାବ ପର୍ଯ୍ୟନ୍ତ; ଏକାଧିକ ବିଚ୍ୟୁତି ପରିଲକ୍ଷିତ ହୁଏ। ଏବେ ସାପ କାମୁଡ଼ାର ଉପଯୁକ୍ତ ଚିକିତ୍ସା କରାଯାଉନଥିବା ଭଳଭି ସଙ୍ଗୀନ ଅଭିଯୋଗ ହେଲାଣି। ଗତ ୫/୬ ତାରିଖରେ ଘଷର ଶୋଇଥିବାବେଳେ ଲାଠିକଟା ବ୍ଲକ ଅନ୍ତର୍ଗତ ହାତିଅଡ଼ା ଅଞ୍ଚଳର ଜଣେ ନାବାଳକ(୧୬)ଙ୍କୁ ସାପ କାମୁଡ଼ି ଦେଇଥିଲା। ତୁରନ୍ତ ସଙ୍ଗେସଙ୍ଗେ ତାଙ୍କୁ ଆର୍‌ଜିଏଚ୍‌କୁ ଅଣାଯାଇଥିଲା। ଗୁରୁତର ଆହତ ନାବାଳକଙ୍କୁ ବିଳମ୍ବିତ ରାତି ପ୍ରାୟ ୧ଟାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା; କିନ୍ତୁ କୁଆଡ଼େ ଆବଶ୍ୟକ ଚିକିତ୍ସା କରିନଥିଲେ। ପରିବାର ଲୋକ ଆଣ୍ଟି ସ୍ନେକ୍‌ ଭେନମ୍‌ ଇଞ୍ଜେକ୍ସନ ଦାବିକୁ କାକୁତିମିନତି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଏଣୁ ତା’ ପରଦିନ, ଅର୍ଥାତ୍‌ ୬ ତାରିଖ ସକାଳେ ନାବାଳକଙ୍କୁ ଇସ୍ପାତ ଜେନେରାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଣ୍ଟି ଭେନମ୍‌ ଇଞ୍ଜେକ୍ସନର ଅଭାବ ଯୋଗୁଁ ନାବାଳକଙ୍କୁ ଆର୍‌ଜିଏଚ୍‌ରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅବଶ୍ୟ, ଏହି ଅଭିଯୋଗକୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସୂଚନା ଦିଆଯାଇଛି।