ସାନ୍ତାଳି ବିଶ୍ୱବିଦ୍ୟାଳୟ ପାଇଁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ
ବାରିପଦା, ୩୧/୭(ସକାଳଖବର)- ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଓ ମଦ୍ରାସା ଶିକ୍ଷା ପରିଷଦ ଢ଼ାଂଚାରେ ବାରିପଦା ସହରରେ ସାନ୍ତାଳି ଶିକ୍ଷା ପରିଷଦ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ମୟୂରଭଞ୍ଜ ଆଦିବାସୀ ୟୁଥ ଏଣ୍ଡ ଷ୍ଟୁଡେଂଟ ଏସୋସିଏସନ (ମାରିସା) ପକ୍ଷରୁ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଥିଲା । ବନ୍ଦ ସଫଳ ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଉଥିବା ବେଳେ ସାଧାରଣରେ ବନ୍ଦ୍ ର ପ୍ରଭାବ ଏତେଟା ଦେଖିବାକୁ ମିଳିନଥିଲା ।
ଆଜି ସକାଳ ୮ଟା ସମୟରେ ପ୍ରଥମେ ମାରିସାର ଜିଲ୍ଲା ସଭାପତି ଅର୍ଜୁନ ମୁର୍ମୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧରମରାଜ ହାଁସଦାଃ, ସମ୍ପାଦକ ସମୀର ଟୁଡ଼ୁଙ୍କ ନେତୃତ୍ୱରେ ୧୦ରୁ ୨୦ ଜଣ ସମର୍ଥକ ୧୮ ନଂ ଜାତୀୟ ରାଜପଥ ଉପରେ ପିକେଟିଂ ଆରମ୍ଭ କରିବା ସହ ଚଳାଚଳ କରୁଥିବା ଯାନବାହନଗୁଡିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଏମାନଙ୍କ ମଧ୍ୟରୁ ୧୦ ରୁ ଉଦ୍ଧ୍ୱର୍ ଆନେ୍ଦାଳନକାରୀଙ୍କୁ ଥାନାକୁ ଉଠାଇନେବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଥିଲା । ସକାଳ ୬ଟାରୁ ପୂର୍ବାହ୍ନ ପ୍ରାୟ ୧୦ ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିଥିଲା । ଶିକ୍ଷାନୁଷ୍ଠାନ ବ୍ୟତୀତ କୋର୍ଟ କଚେରୀ, ଅନ୍ୟାନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା । ମାସର ଶେଷ ମଙ୍ଗଳବାର ଥିବାରୁ ବଜାର ବନ୍ଦ ରହିଥିଲା । ଫଳରେ ବନ୍ଦ୍ ର ପ୍ରଭାବ ଏତେଟା ଦେଖିବାକୁ ମିଳିନଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂଗଠନ ପକ୍ଷରୁ ସେମାନଙ୍କର ଦାବି ବାବଦରେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନସଚିବ, ଶିକ୍ଷା ସଚିବ ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କୁ ପ୍ରଦାନ କରିଥିଲେ । ତେବେ ପ୍ରଶାସନ ସେମାନଙ୍କ ଦାବିକୁ ଅଣଦେଖା କରିଥିବାରୁ ଆଜି ବାରିପଦା ବନ୍ଦ ଡ଼ାକରା ଦିଆଯାଇଥିବା ଆନେ୍ଦାଳନକାରୀମାନେ କହିଛନ୍ତି । ଯଦି ଆଗାମି ଦିନରେ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନନିଅନ୍ତି ତେବେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।