ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଆଇନ ହେଉ- ପ୍ରବୀଣ
କଟକ,୨୪ା୨(ସକାଳଖବର): ଆଗାମୀ ନିର୍ବାଚନରେ ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳିରେ ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ଦେବ ବୋଲି ହିନ୍ଦୁତ୍ୱାବଦୀ ନେତା ଡାକ୍ତର ପ୍ରବୀଣ ଭାଇ ତୋଗାଡ଼ିଆ ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ନବଗଠିତ ‘ହିନ୍ଦୁସ୍ଥାନ ନିର୍ମାଣ ଦଳ’ ଓଡ଼ିଶା ଶାଖାର ଶୁଭ ଉଦ୍ଘାଟନ କରିବା ସହ ନୂତନ କାର୍ଯ୍ୟକାରିଣୀ ସଭାରେ ଘୋଷଣା କରିଛନ୍ତି । ଓଡ଼ିଶାରେ ଅନୁପ୍ରବେଶକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ ଓ ଜେହାଦୀ ଆତଙ୍କବାଦୀଙ୍କ ବିଚରଣ ଭୂଇଁ ପାଲଟିଛି । ସେହିଭଳି ଅବାଧରେ ଗୋ-ଚାଲଣ ହେଉଛି । ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ ସେବା କ୍ଷେତ୍ରରେ ଦୟନୀୟସ୍ଥିତି ଦେଖାଦେଇଛି । ଏଥିଯୋଗୁଁ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସବୁ ସମସ୍ୟାର ଏବେ ପୂର୍ଣ୍ଣଛେଦ ପଡ଼ିବାର ସମୟ ଆସିଛି । ତେଣୁ ‘ଅବ୍ କି ବାର ପବ୍ଲିକ କି ସରକାର’ ହେବ । କାରଣ ହିନ୍ଦୁସ୍ଥାନ ନିର୍ମାଣ ଦଳ ସମସ୍ତ ସମସ୍ୟାକୁ ସମାଧାନ କରି ଏକ ନୂତନ ବିକାଶର ଧାରା ସୃଷ୍ଟି କରିବ ।
ଏହି ଅବସରରେ ଡାକ୍ତର ତୋଗାଡ଼ିଆ କହିଲେ ଯେ, ତାଙ୍କ ଦଳ ମିଥ୍ୟା ପ୍ରତିଶ୍ରୁତି ନୁହେଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବ । ଏହା ସାଧାରଣ ଲୋକଙ୍କ ସରକାର ହେବ । ଦେଶର କୃଷକ, ଶ୍ରମିକ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଏବଂ ସମାଜର ଉପେକ୍ଷିତ ବର୍ଗର ସରକାର ହେବ । କେବଳ ସେତିକି ନୁହେଁ, ହିନ୍ଦୁ ସମାଜର ସ୍ୱାଭିମାନ, ସମ୍ମାନ ଏବଂ ସମୃଦ୍ଧିର ସୁରକ୍ଷା ପାଇଁ ଏହି ଦଳ କାର୍ଯ୍ୟ କରିବ । ସୋମନାଥ ମନ୍ଦିର ଭଳି ସଂସଦରେ ଆଇନ ଆଣି ଅଯୋଧ୍ୟାରେ ମନ୍ଦିର ପ୍ରତିଷ୍ଠା କରିବା ସହ କାଶ୍ମୀରରୁ ବିସ୍ଥାପିିତ ହିନ୍ଦୁ ଓ ଶିଖଙ୍କୁ ପୁନର୍ବାର ସୁରକ୍ଷିତ ଭାବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥା କରିବା ଦିଗରେ ଦୃଷ୍ଟି ଦେବ । ଦେଶରେ ଆଶାତୀତ ଭାବେ ଜନସଂଖ୍ୟା ବଢ଼ୁଥିବାରୁ ଏହାର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବ । କୃଷି ଓ କୃଷକର ସମୃଦ୍ଧି ପାଇଁ କୃଷି ଋଣ ଛାଡ଼, ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ କୃଷକଙ୍କୁ ସର୍ବ ନିମ୍ନ ସହାୟକ ପ୍ରଦାନ ଏବଂ କୃଷକଙ୍କ ଜମି ଅଧିଗ୍ରହଣ ନୀତିର ପୁନର୍ବିଚାର କରିବ । କେନ୍ଦ୍ର ସରକାରଙ୍କ ଉପରେ ଡାକ୍ତର ତୋଗାଡ଼ିଆ ସମାଲୋଚନା କରି କହିଲେ ଯେ, ଦେଶରେ ଭୁଲ ଆର୍ଥôକ ନୀତି ଯୋଗୁ ସମ୍ପ୍ରତି ଦେଶରେ ଧନୀ ଓ ଗରିବଙ୍କ ମ୍ମରେ ତାରତମ୍ୟ ବଢ଼ିଚାଲିଛି । ବିମୁଦ୍ରିକରଣ ଏବଂ ଜିଏସଟି ଯୋଗୁଁ ସମଗ୍ର ଦେଶରେ ଏବେ ଅସଂଖ୍ୟ ବେକାରୀ ସୃଷ୍ଟି ହେଉଛନ୍ତି । ଯେଉଁଥି ପାଇଁ ଦେଶର ଅର୍ଥନୀତି ଦୋହଲି ଯାଇଛି ।