ବୌଦ୍ଧ ଜିଲା ଲୁଣ୍ଡୁରିଝରି ଗ୍ରାମରେ ୯ ଦିନରେ ୩ ମୃତ

Aug 23, 2019 - 17:35
 88
ବୌଦ୍ଧ, ୨୩/୮(ସକାଳଖବର): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଆଦିବାସୀ ବହୁଳ ତଳଗାଁ ପଂଚାୟତ ଅନ୍ତର୍ଗତ ଲୁଣ୍ଡୁରିଝରି ଗ୍ରାମରେ ଅଜଣା ରୋଗରେ ୯ ଦିନରେ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଭୟରେ ଲୋକମାନେ ଗ୍ରାମ ଛାଡୁଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଗ୍ରାମରେ ଆଦିବାସୀ ହରିଜନ ସଂପ୍ରଦାୟର ୭୫ ଟି ପରିବାରର ୩୦୦ ଲୋକ ବସବାସ କରୁଛନ୍ତି । ଗତ ୧୨ ତାରିଖ ଦିନ ଗର୍ଭବତୀ ମହିଳା ସରସ୍ୱତୀ ଦେହୁରୀ (୨୯)ଙ୍କ ହଠାତ୍ ମୃତୁ୍ୟ ହୋଇଥିବାବେଳେ ଗତ ୧୪ ତାରିଖ ଦିନ ଲକ୍ଷ୍ମୀ ମାଝି(୬୦), ଗତ ୨୧ ତାରିଖ ଦିନ ସନ୍ଧ୍ୟା ସମୟରେ ବନିତା ନାଏକଙ୍କ ମୃତୁ୍ୟ ଘଟିଥିଲା । ଗତ ନଅ ଦିନ ମଧ୍ୟରେ ଗ୍ରାମର ୩ ଜଣଙ୍କ ମୃତୁ୍ୟକୁ ନେଇ ଗ୍ରାମରେ ଗୁଣି ଗାରେଡି ଯୋଗୁଁ ଏଭଳି ହେଉଥିବା ବିଶ୍ୱାସ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ଗ୍ରାମରେ ଗୁରୁବାର ଦିନ ବାହାରୁ ଗୁଣିଆ ଡକାଇ ପୂଜାବିଧି ସହ ଲୋକମାନଙ୍କୁ ଝଡାଫୁଙ୍କା କରାଯାଇଥିବା ଜଣାପଡିଛି । ଗ୍ରାମରେ ଥିବା ବିଦ୍ୟାଳୟରେ ଗୁରୁବାର ଦିନ ମାତ୍ର ୪ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଭୟରେ ଆସନଥିବା ଜଣାପଡିଛି । ଗ୍ରାମରେ ଭଡ଼ାରେ ରହୁଥିବା ପ୍ରଧାନଶିକ୍ଷକ ସୁନିଲ ଦେହୁରୀ ଏହି ଘଟଣା ପରେ ଭୟରେ ଗ୍ରାମ ଛାଡି ଚାଲିଯାଇଛନ୍ତି । ଗ୍ରାମର ଲୋକମାନେ ମୃତୁ୍ୟର କାରଣକୁ ନେଇ ସନ୍ଦିହାନ ଥିବାବେଳେ ଅନ୍ଧବିଶ୍ୱାସର ବଶବର୍ତି ହୋଇ ଗୁଣି ଗାରେଡି ଯୋଗୁଁ ଏହିଭଳି ମୃତୁ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ଅଳ୍ପଦିନ ପୂର୍ବରୁ ଏହି ପଂଚାୟତର ତଳଗାଁ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଦେବତା ଭୟରେ ଛାତ୍ରୀମାନେ ଘରକୁ ଚାଲିଯିବା ସହିତ ଗୁଣି ଗାରେଡି ଚିକିତ୍ସା କରାଇଥିବା ଜିଲାରେ ଆଲୋଡନ ସୃଷ୍ଟି କରିଥିଲା । ସେହି ପଂଚାୟତର ଆଉ ଏକ ଗ୍ରାମରେ ପୁଣିଥରେ ଅଜଣା କାରଣରୁ ୯ ଦିନରେ ୩ ଜଣଙ୍କ ମୃତୁ୍ୟ ହୋଇଯିବାପରେ ଗୁଣି ଗାରେଡି ସନେ୍ଦହରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାଯାଇଛି । ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ଲୋକଙ୍କ ମନରୁ ଏଭଳି ଅନ୍ଧବିଶ୍ୱାସ ଦୂର କରିବା ପାଇଁ ପଦକ୍ଷେପ ନିଆଯିବା ସହିତ ଡାକ୍ତରୀ ଦଳଙ୍କୁ ପଠାଇ ଲୋକଙ୍କ ମୃତୁ୍ୟର କାରଣ ସଂପର୍କରେ ତଦନ୍ତ କରାନଗଲେ ଏହି ଗ୍ରାମ ଖୁବ ଶିଘ୍ର ଜନଶୂନ୍ୟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।