ବିନିକାରେ ମାତିଲେ ୨୫ ଟିକିଆ ହାତୀପଲ, ନଷ୍ଟ କଲେ ଫସଲ

Jan 11, 2022 - 08:01
 62
ବିନିକାରେ ମାତିଲେ ୨୫ ଟିକିଆ ହାତୀପଲ, ନଷ୍ଟ କଲେ ଫସଲ
ବିନିକା, ୧୧/୦୧: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ସନ୍ଧ୍ୟା ହୋଇଗଲା ମାତ୍ରେ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଧାନ ଚାଷକୁ ନଷ୍ଟ କରୁଛନ୍ତି । ଏହାସହ ଖଳା ବାଡିରେ ଥିବା ଧାନକୁ ଖାଇ ଯାଉଛନ୍ତି ।ବାଡି ବଗିଚାରେ ଥିବା କଦଳୀ ସହ ବିଭିନ୍ନ ଗଛକୁ ଉପାଡି ଦେଉଛନ୍ତି । ହାତୀପଲକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିନିକା ରେଞ୍ଜରେ ୨୫ ଟିକିଆ ଜଙ୍ଗଲି ହାତୀପଲଙ୍କ ଉପଦ୍ରବ ଥମିବାର ନା ଧରୁନି । ସଞ୍ଜ ନଇଁଗଲେ ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଲୋକେ । ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବାରୁ ଗଜରାଜ ଗାଁ ମୁହାଁ ହୋଇ ସୁନାର ଫସଲ ଦଳି ଚକଟି ନଷ୍ଟ କରିଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ l ଏଠାକାର ଲୋକେ ମୁଖ୍ୟତଃ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି । ଚାଷ କାର୍ଯ୍ୟକୁ ସେମାନେ ପ୍ରାଧାନ୍ୟ ଦେଇଥାନ୍ତି । ବିନିକା ଅଞ୍ଚଳରେ ଚଳିତ ରବି ଋତୁ ଚାଷ ପାଇଁ ଚାଷୀ ବିଲରେ ଧାନ ବିହନ ପକାଇଥିବା ବେଳେ ସେହି ଜମି ସବୁକୁ ହାତୀପଲ ନଷ୍ଟ କରି ପକାଉଛନ୍ତି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।