ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଉତ୍ତର ନଦେବା ଯାଏଁ ଗଛକଟା ବନ୍ଦ କଲେ ହାଇକୋର୍ଟ

Jun 2, 2022 - 08:03
 62
ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଉତ୍ତର ନଦେବା ଯାଏଁ ଗଛକଟା ବନ୍ଦ କଲେ ହାଇକୋର୍ଟ
କଟକ: ବିଧାୟକଙ୍କ ନିମନ୍ତେ ଆଲିସାନ ଆପାର୍ଟମେଣ୍ଟ ତିଆରି କରିବାକୁ ଚାଲିଛି ଆଖିବୁଜା ଗଛ କଟା। ବର୍ଷ ବର୍ଷର ପୁରୁଣା ଗଛକୁ କାଟି ମାଟିରେ ଗଡ଼ାଇ ଦିଆଯାଉଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ। ସାଧାରଣ ପ୍ରଶାସନ ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ଏହା ମଧ୍ୟରେ ଗଛ ନ କାଟିବାକୁ ହାଇକୋର୍ଟ ସରକାରୀ ଓକିଲଙ୍କୁ ତାଗିଦ କରିଥିବା ବେଳେ ଏପରି ହେବନି ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି ସରକାରୀ ଓକିଲ। ଆଜି ଶୁଣାଣି ଆରମ୍ଭ ବେଳେ ଗଛ କଟା ନ ହୋଇ କିପରି ଉନ୍ନତିମୂଳକ କାମ ଯଥା ଆପାର୍ଟମେଣ୍ଟ, ମଲ୍ଟିପ୍ଲେକ୍ସ ନିର୍ମାଣ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରିବାକୁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ନିୟମ ଅନୁଯାୟୀ ସବୁ ହେଉଥିବା ସରକାରୀ ଓକିଲ କହିଥିବା ବେଳେ ସତ୍ୟପାଠ ଜରିଆରେ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।