ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା

Feb 7, 2019 - 18:38
 162
ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା
ଭୁବନେଶ୍ୱର, ୭/୨(ସକାଳଖବର): ବିଗତ ଦୁଇ ଦିନ ଧରି ବିଧାନସଭାରେ ଚାଷୀ, ବେକାରୀ ସମସ୍ୟା ନେଇ ଗୃହରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଗୁରୁବାର ଦିନ ମଧ୍ୟ ଗୃହରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଗୃହରେ ପ୍ରଥମାର୍ଧ ବୈଠକରେ କୌଣସି କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ମାତ୍ର ତିନି ମିନିଟ ପାଇଁ ଗୃହ ଚାଲିଥିଲା । ସେହିପରି ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବେକାରୀ ସମସ୍ୟା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କରିବାକୁ ଆସିଥିବା ଯୁବ ମୋର୍ଚ୍ଚା କର୍ମୀ ମାନଙ୍କ ଉପରେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହରେ ହୋହାଲ୍ଲାଆରମ୍ଭ କରିଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ସମସ୍ୟାକୁ ନେଇ ପାଟିତୁଣ୍ଡ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ୍ ଗୃହକୁ ତୃତୀୟ ଥର ପାଇଁ ଅପରାହ୍ନ ୩ ଟା ୩ରୁ ୫ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ୫ ଟା ୩୦ରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ୨୦୧୯-୨୦ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ । ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦.୩୦ରେ ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳେ ଉଭୟ ବିରୋଧୀ ଦଳର ସଦସ୍ୟ ମାନେ ନିଜ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ । ଏଥିରୁ ନିବୃତ ରହି ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ବାରମ୍ବାର ନିବେଦନ କରିଥିଲେ । ମାତ୍ର ସେଥିରେ କୌଣସି ଫଳ ନ ମିଳିବାରୁ ବାଚସ୍ପତି ବାଧ୍ୟ ହୋଇ ୧୦.୩୧ରୁ ୧୧.୩୦ ଯାଏ ଗୃହକୁ ମୁଲତବୀ ରଖାଗଲା ବୋଲି ଘୋଷଣା କରିଥିଲେ । ସେହିପରି ୧୧.୩୦ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ବିଧାୟକ ମାନେ ସେହି ଦାବିକୁ ନେଇ ହଟ୍ଟଗୋଳ ଜାରୀ ରଖିଥିଲେ । ବାଧ୍ୟ ହୋଇ ବାଚସ୍ପତି ୧୧.୩୨ରୁ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ହଟ୍ଟଗୋଳ ସମୟରେ ବିରୋଧୀ ବିଧାୟକ ମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ପୋଡିୟମକୁ ବାଡେଇବାର ଦେଖା ଯାଇଥିଲା । ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରି ନ ଥିଲା । ଚାଷୀ ବେହାଲ ଓ ସରକାରୀ କର୍ମଚାରୀ ମାନେ ମାଲେମାଲ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ମଧ୍ୟ ହୋଇ ପାରି ନ ଥିଲା ।