ଭିଜିଲାନ୍ସ ଜାଲରେ ତହସିଲ କିରାଣୀ ଓ ପଂଚାୟତ ନିର୍ବାହୀ ଅଧିକାରୀ

Feb 7, 2019 - 18:34
 217
ବାରିପଦା, ୭/୨(ସକାଳଖବର): କିଛି ଦିନର ନୀରବତା ପରେ ବାରିପଦା ଭିଜିଲାନ୍ସ ୟୁନିଟ ପୁଣି ଥରେ ସକ୍ରିୟ ହୋଇ ପଡ଼ିଥିବାର ପରିଲକ୍ଷିତ ହୋଇଛି । ଫଳରେ ୟୁନିଟ ବିଛାଇଥିବା ଜାଲରେ ଧରାପଡ଼ି ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି କୁଳିଅଣା ତହସିଲର ବରିଷ୍ଠ କିରାଣୀ କାମ ନିଜାରତ ତଥା ବାରିପଦା କାଳିମନ୍ଦିର ସାହି ଅଂଚଳର ନବ କୁମାର ଦାସ । ଅନ୍ୟ ଏକ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟ୍ଟା ଓ ବିରିଡ଼ି ପଂଚାୟତର ନିର୍ବାହୀ ଅଧିକାରୀ ଦାସମାତ୍ ମୁର୍ମୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ଉଦଳା ତହସିଲରେ କାର୍ଯ୍ୟରତ କିରାଣୀ ତଥା ଉକ୍ତ ଅଂଚଳର ସରୋଜ କୁମାର ପ୍ରଧାନ ନିଜ ପତ୍ନୀଙ୍କ ନାମରେ କୁଳିଅଣା ତହସିଲ ଅଧୀନ ଗାଙ୍ଗରାଜ ମୌଜାରେ ସାରଦ-୨ କିସମର ୬ ଡେସିମିଲ ଜମିକୁ ଘରବାଡ଼ିକୁ ପରିବର୍ତନ କରିବା ପାଇଁ ଆବେଦନ କରିଥିଲେ । ଉକ୍ତ ଜମିର ପଟ୍ଟା କରାଇବା ପାଇଁ ସରୋଜ ଛୁଟିରେ ଆସି ତହସିଲକୁ ବାରମ୍ବାର ଦୌଡ଼ାଦୌଡ଼ି କରିବା ପରେ ବରିଷ୍ଠ କିରାଣୀ ତଥା ନିଜାରତ ୧୫ଶହ ଟଙ୍କା ଲାଂଚ ସହିତ ୧୧ଶହ ଦଶ ଟଙ୍କା ପ୍ରସେସିଙ୍ଗ ଫି ମାଗିବା ପରେ ଏହି ଲାଂଚୁଆ କିରାଣୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ନିମନ୍ତେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପିଙ୍କ ସହିତ ସାକ୍ଷାତ ଆଲୋଚନା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସରୋଜ କୁମାର ପ୍ରଧାନ ବରିଷ୍ଠ କିରାଣୀ ତଥା ନିଜାରତ ନବ କୁମାର ଦାସଙ୍କୁ ୧୨.୧୦ ମିନିଟରେ କାର୍ଯ୍ୟାଳୟରେ ସାକ୍ଷାତ କରି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ଟଙ୍କା ଦେବା ପରେ ପୋଜିସନ ନେଇ ଛପି ରହିଥିବା ଭିଜିଲାନ୍ସ ଟିମକୁ କାର୍ଯ୍ୟରେ ସଫଳତାର ସଂକେତ ଦେବା ପରେ ଅତର୍କିତ ଭାବେ ଭିଜିଲାନ୍ସ ଟିମ୍ ନବ କୁମାରଙ୍କ ଉପରକୁ ଝାମ୍ପିପଡ଼ି କାବୁ କରିବା ପରେ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କାକୁ ଜବତ କରିଥିଲେ । ଏହି ଲାଂଚ ଘଟଣାକୁ ନେଇ ବାରିପଦା ଭିଜିଲାନ୍ସ ୟୁନିଟରେ କେଶ ନଂ ୨/୨୦୧୯ରେ ଏକ ମାମଲା ରୁଜୁ ସହିତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ପରେ ଅଭିଯୁକ୍ତ ନବ କୁମାର ଦାସଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ନବଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା । ଆଜିର ଏହି ଚଢ଼ାଉ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଓ ଅନିରୁଦ୍ଧ ନାୟକ, ତରୁଣ ପାଲବାବୁ, ଲଳିତ ରାଉତ, ମନୋରଞ୍ଜନ ବେହେରା ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟ୍ଟା ଓ ବିରିଡ଼ି ପଂଚାୟତର ନିର୍ବାହୀ ଅଧିକାରୀ ଦାସମାତ୍ ମୁର୍ମୁ ବିଜୁ ପକ୍କାଗୃହ ଯୋଜନାରେ ତଦନ୍ତ ରିପୋର୍ଟ ଦେବା ନିମନ୍ତେ ଆବେଦନକାରୀ ଆରପଟ୍ଟା ପଂଚାୟତ ଅଧିନ ଟିକାୟତପୁର ଗ୍ରାମର ଦେବାଶିଷ ପୃଷ୍ଟିଙ୍କ ନିକଟରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ି ଜେଲ ଯାଇଥିବାର ସୂଚନା ମିଳିଛି ।