ବାରିପଦା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

Oct 5, 2018 - 18:26
 221
ବାରିପଦା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି
ବାରିପଦା, ୫/୧୦ (ସକାଳକବର): ବାରିପଦା ସହରରେ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡେଲ ଓ ମଣ୍ଡପଗୁଡ଼ିକରେ ସାଧାରଣତଃ ପୂଜା ପାଇଥାନ୍ତି ମୃଣ୍ମୟୀ ଦେବୀ ଦଶଭୂଜା ଓ ସିଂହବାହିନୀ ‘ମା ଦୁର୍ଗା’ । ମାଟିରେ ନିର୍ମିତ ହୋଇ ମହିଷାସୁରକୁ ବଧ କରୁଥିବା ଦେବୀ ଦୁର୍ଗାଙ୍କର ମୂର୍ତ୍ତି । ପୂଜା ସମାପ୍ତ ହେବା ପରେ କେଉଁଠି ଦଶହରା ଦିନ ଏହି ଦୁର୍ଗା ମୂର୍ତ୍ତିିଙ୍କ ଜଳ ବିସର୍ଜନ କରାଯାଇଥାଏ ତ କେଉଁଠି ଦଶହରାର ପରବର୍ତ୍ତି ଦିନରେ ବିସର୍ଜନ କରାଯାଇ ଥାଏ । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ରାଜବାଟୀ ମଧ୍ୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲା । ମା’ଙ୍କୁ ଦର୍ଶନ ସହିତ ଭକ୍ତି ନୈବେଦ୍ୟ ଅର୍ପଣ ନିମନ୍ତେ ପ୍ରଜାମାନଙ୍କୁ ଦୀର୍ଘ ସମୟ ଧାଡ଼ିବାନ୍ଧି ଅପେକ୍ଷା କରିବାକୁ ପଡ଼ୁଥିଲା । କିଛି ବଙ୍ଗାଳୀ ଭାଇ ମହାରାଜାଙ୍କ ନିକଟରୁ ଅନୁମାତି ନେଇ ୧୯୩୪ରେ ସହରର ଗୋପବନ୍ଧୁ ଭବନ ସମ୍ମୁଖ ସହିଦ ପଡ଼ିଆଠାରେ ପଶ୍ଚିମବଙ୍ଗ ରାଜ୍ୟର କୁମାରଟୁଲିରୁ ମୂର୍ତ୍ତି ଆଣି ଆରମ୍ଭ କରିଥିଲେ ସର୍ବ ପ୍ରଥମ ସାର୍ବଜନୀନ ଦୁର୍ଗାପୂଜା । ଚଳିତ ବର୍ଷ ଏହି ସହିଦ ପଡ଼ିଆ ଦୁର୍ଗାପୂଜା ୮୫ ବର୍ଷରେ ପାଦ ଥାପିଛି । ସେହିପରି ଦ୍ୱିତୀୟ ସବାର୍ବଜନୀନ ଦୁର୍ଗାପୂଜା ଭାବେ ବାରିପଦା ଟାଉନ ଥାନା ସମ୍ମୁଖରେ ୧୯୫୭ରୁ ଆରମ୍ଭ ହୋଇ ୬୨ ବର୍ଷରେ ପଦାର୍ପଣ କରିଛି । ଷ୍ଟେସନ ବଜାର ୧୯୫୮ ଆରମ୍ଭ ହୋଇ ୬୧ ବର୍ଷରେ, େ‘ଜାର ହଷ୍ଟେଲ ଯୁବକସଂଘ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ୫୭ ବର୍ଷରେ , ପୌରପରିଷଦ ପରିସରରେ ୫୩ ବର୍ଷରେ ପଦାର୍ପଣ କରିଛି । ଜିଲା କୋଷାଗାର ସମ୍ମୁଖ ପୂଜାମଣ୍ଡପ ୪୧ ବର୍ଷ, ମୁର୍ଗାବାଡ଼ି ଗୋଲେଇ ୩୭ ବର୍ଷରେ, ସୁନାମୁହିଁ ୩୬ ବର୍ଷରେ, ତୁଳସୀଚୌରା ଓ ପାଲବଣିଗୋଲେଇ ୩୪ ବର୍ଷରେ, ତେନ୍ତୁଳିଡିଙ୍ଗା ୩୩ ବର୍ଷରେ, କୃଷ୍ଣ ଚନ୍ଦ୍ର ଗୋଲେଇ ଓ ଦାରୋଗାଡାହି ଗୋଲେଇ ୩୨ ବର୍ଷରେ, ଭଞପୁର ୩୧ ବର୍ଷରେ, କମଳା ନେହେରୁ ବାଳିକା ବିଦ୍ୟାଳୟ ନିକଟ ୨୯ ବର୍ଷରେ, ଲାଲବଜାର ଛକ ୨୪ ବର୍ଷରେ ପହଞ୍ଚିଛି । ଲାଲବଜାର ପୂଜାକମିଟି ପକ୍ଷରୁମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିରେ ୨ ମହଣରୁ ଅଧିକ ଚାନ୍ଦି ବ୍ୟବହାର କରାଯାଇଥାଏ । ତକତପୁର ଓ ମଧୁବନ ପୂଜା ମଣ୍ଡପ ୨୦ ବର୍ଷ ପଦାର୍ପଣ କରିଥିବା ବେଳେ ମଧୁବନ ବାରୁଣୀରୋଡ଼ର ସାର୍ବଜନୀନ ଦୁର୍ଗାପୂଜାକୁ ୯ ବର୍ଷ ହୋଇଛି । ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ତଥା ଗାନ୍ଧୀ ମାର୍କେଟର ଚାପଲ ପୋଖରୀ ହୁଡ଼ାରେ ମହାବୀର ହନୁମାନଙ୍କର ପୂଜା ୨୪ ବର୍ଷରେ ପହଂଚିଛି । ସେହିପରି ବଡ଼ବଜାର କଲେଜ ଛକ ଓ ଅମ୍ବିକା ମନ୍ଦିର ସାହିର ତିନିକୋଣିଆ ଦୋଳି ପଡ଼ିଆଠାରେ ଯଥାକ୍ରମେ ୪୨ ଓ ୨୩ ବର୍ଷ ଧରି ହରପାର୍ବତୀ ପୂଜା ପାଇ ଆସୁଥିବା ବେଳେ ବଡ଼ବଜାର ଶୀତଳା ମନ୍ଦିର ସମ୍ମୁଖରେ ୩୪ ବର୍ଷ ଧରି ବନଦୁର୍ଗାପୂଜା ପାଉଛନ୍ତି । ପୂଜା ବଜାରରେ ସହର ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ ତୁଳସୀଚୌରା ଓ ପାଲବଣି ପୂଜା ମଣ୍ଡପ । ଏହି ଦୁଇ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନଭିନ୍ନ ଆକୃତିର ପେଣ୍ଡେଲ ଓ ତୋରଣ ନିର୍ମାଣ କରାଯାଇ ଭକ୍ତ ତଥା ଦର୍ଶକମାନଙ୍କ ଦ୍ୱାରା ଉଚ୍ଛସିତ ଭାବେ ପ୍ରସଂଶିତ ହୋଇ ଆସୁଛି । ତୁଳସୀଚୌରା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ବମ୍ବେର ଛତ୍ରପତି ଶିବାଜୀ ଟର୍ମିନାଲର ଭ୍ରମ ସୃଷ୍ଟି କରିପାରିବା ଭଳି ମଣ୍ଡପର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତିା