ବାରିପଦାରେ ଚାଲିଛି ରଥ ନିର୍ମାଣ

Jun 26, 2018 - 17:22
 171
ବାରିପଦାରେ ଚାଲିଛି ରଥ ନିର୍ମାଣ
ବାରିପଦା,୨୬/୬(ସକାଳଖବର) : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ । ଚଳିତ ବର୍ଷ ଜୁଲାଇ ୧୪ରେ ମହାପ୍ରଭୂଙ୍କ ପହଣ୍ଡିବିଜେ ହେବାକୁ ଥିବା ବେଳେ ପରମ୍ପରା ମୁତାବକ ପୁରୀ ରଥଟଣାର ପର ଦିନ ଅର୍ଥାତ ଜୁଲାଇ ୧୫ ଓ ୧୭ରେ ରଥଟଣା ହେବ । ସେହିପରି ମହାପ୍ରଭୂଙ୍କ ବାହୁଡା ଯାତ୍ରା ଅବସରରେ ଜୁଲାଇ ୨୨ରେ ପହଣ୍ଡି ବିଜେ ହୋଇ ୨୩ ଓ ୨୪ ଦୁଇଦିନ ରଥଟଣା ସମ୍ପନ୍ନ ହେବ । ଜନସୃତିରୁ ଜଣାପଡେ଼ ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟମାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି । ସେହିପରି ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ଦେଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେଣୁ ବାରିପଦା ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରୀପଞ୍ଚମୀରୁ ରଥ କାଠ ଅନୁକୂଳ ହୋଇଥିଲା । ରଥ ନିର୍ମାଣ କାର୍ଯ୍ୟକୁ ବାରିପଦା ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନରେ ଚାଲିଛି ଓ କାର୍ଯ୍ୟ ଶେଷ ହେବାପରେ ନିର୍ମାଣ ହୋଇଥିବା ରଥର ଫିଟନେସ୍ ପ୍ରମାଣପତ୍ର ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।