ପୁରୁଣାପୋଲ ଭାଙ୍ଗିଦେଇ ଠିକାଦାର ଛୁ
ଅନୁଗୋଳ,୧୪/୩(ସକାଳଖବର): ସରକାର ଗାଁରୁ ସହରକୁ ଗମନାଗମନ ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣ କରୁଛନ୍ତି । କିନ୍ତୁ ସରକାରୀ କଳର ପରିଚାଳନଗତ ସମସ୍ୟାକୁ ଏହି ନିର୍ମାଣ ଅନେକ ସମୟରେ ଲୋକଙ୍କ ପାଇଁ ବୋଝ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି । ଏପରି ଏକ ଚି୍ରତ ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଖିଣ୍ଡା ପଞ୍ଚାୟତରେ । ଏହି ପଞ୍ଚାୟତର ରୁକୁଣା ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୁରୁଣା ପୋଲଟି ଭାଙ୍ଗିଦେଇ ବର୍ଷେ ହେବ ଠିକାଦାର ଛୁ ମାରିଛି । ଫଳରେ ନୂଆ ପୋଲ ତ ହେଲାନି, ବରଂ ପୁରୁଣା ବୋଲଟି ଭାଙ୍ଗି ଦିଆଯିବାରୁ ଦଶଟି ଗ୍ରାମର ଅଧିବାସିଙ୍କ ଦୁର୍ଦ୍ଧଶା କମିବା ପରିବର୍ତ୍ତେ ଅଧିକ ହୋଇପଡ଼ିଛି । ଏଣେ ଅନୁଦାନ ଅର୍ଥ ଫେରି ଯାଇଥିବାରୁ ନିକଟ ଭବିଷ୍ୟତରେ ଯେ ପୋଲ ନିର୍ମାଣ ତାହା ମଧ୍ୟ ଦେଖାଯାଉନାହିଁ । ସୂଚନା ଅନୁଯାୟୀ ଖିଣ୍ଡା ପଞ୍ଚାୟତର ରୁକୁଣା ନାଳ ଉପରେ ନିର୍ମିତ ପୋଲଟି କମ୍ ଉଚ୍ଚତାର ଥିବାରୁ ବର୍ଷାଦିନେ ଏହା ଉପରେ ପ୍ରାୟ ୫ ଫୁଟର ଜଳ ପ୍ରବାହିତ ହୋଇଥାଏ । ସେହିଭଳି ପୋଲଟି ଅଣଓସାରିଆ ଥିବାରୁ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଥାଏ । ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ଆଖପାଖର ୧୦ଟି ଗ୍ରାମର ଲୋକେ ଦାବି କରିଥିଲେ । ଫଳରେ ଏଠାରେ ଆଉ ଏକ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି ପୋଲ ପାଇଁ ଗତବର୍ଷ ଏପ୍ରିଲ ୨୪ ତାରିଖ ଦିନ ବିଧାୟକ ରଜନୀକାନ୍ତ ସିଂହ ଶିଳାନ୍ୟାସ କରିଥିଲେ । ଏହି ଉସôବରେ ଗଡ଼ତରାସ, ଖିଣ୍ଡା, ବଡ଼କନ୍ତକୁଳ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ । ବଇଣ୍ଡା ଅଞ୍ଚଳର ଜଣେ ଠିକାଦାର ଉକ୍ତ ଟେଣ୍ଡର ପାଇବା ପରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁରୁଣା ପୋଲଟି ଭାଙ୍ଗି ଦେଇଥିଲେ । ଫଳରେ ଖିଣ୍ଡା ପଞ୍ଚାୟତ ସହ ଗଡ଼ତରାସ, ମାରୁଆଳି, ଅରାଡ଼ିହ, ନୂଆରାଇଗୁଡ଼ା, ନୁଆକ୍ଷେତା ଭଳି ଅନେକ ଗାଁର ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ପୁରୁଣା ପୋଲଟି ଭାଙ୍ଗିଦେବା ଦିନଠାରୁ ଆଉ ଠିକାଦାରଙ୍କ ଦେଖା ମିଳୁନାହିଁ । ଫଳରେ ଲୋକମାନେ ପୁର୍ବାପେକ୍ଷା ଅଧିକ ହଟହଟା ହେଉଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଥିବା ପୋଲ ଉପରେ ଗାଡ଼ି ମୋଟର ସହିତ ଲୋକେ ଯାତାୟତ କରୁଥିବା ବେଳେ ଏବେ ପୋଲଟି ଭାଙ୍ଗିବାର ବର୍ଷେ ପୂରିବ । ଫଳରେ ପୂର୍ବ ଅପେକ୍ଷା ଲୋକଙ୍କ ଦୁର୍ଦ୍ଧଶା ବଢ଼ିଛି । ତେବେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୫୯୦ ଲକ୍ଷ ଟଙ୍କା ଫେରିଗଲା କିନ୍ତୁ କାର୍ଯ୍ୟ ହୋଇପାରିଲା ନାହିଁ ।