ଜରାଳୀ ନଦୀରୁ ଅଚିହ୍ନା ଯୁବତୀର ଶବ ଉଦ୍ଧାର

Aug 19, 2019 - 19:06
 164
ବାରିପଦା, ୧୭/୮(ସକାଳଖବର): ବାରିପଦା ପୌରପରିଷଦ ମଧ୍ୟ ଦେଇ ପ୍ରବାହିତ ହୋଇଥିବା ଜରାଳୀ ନଦୀର ୱାଡର଼୍ ନଂ ୨୭ ଭିଆରସି କଲୋନୀ ନିକଟରେ ଶନିବାର ସକାଳ ସମୟରେ ଏକ ଅଚିହ୍ନା ଯୁବତୀର ମୃତ ଦେହ ଭାସୁଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ଏହାପରେ ଲକ୍ଷ୍ମୀପୋଷି ଫାଣ୍ଡି ଅଧିକାରୀ ପ୍ରବୋଧ କୁମାର ପଣ୍ଡା ଘଟଣାସ୍ଥଳରେ ପହଁଚି ଦମକଳବାହିନୀ ଡ଼କାଇ ନଦୀରୁ ଯୁବତୀର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇଛନ୍ତି । ଏ ସଂକ୍ରାନ୍ତରେ ଲକ୍ଷ୍ମୀପୋଷୀ ଫାଣ୍ଡିରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପୋଲିସ ମାମଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବତୀର ପରିଚୟ ମିଳିପାରି ନାହିଁ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବାକୁ ଅପେକ୍ଷା କରାଯିବା ସହ ଯୁବତୀର ଶବ ଚିହ୍ନଟ ନିମନ୍ତେ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବାର ଜଣାପଡ଼ିଛି । ପୁଲିସ ଉଦ୍ଧାର କରିଥିବାର ଯୁବତୀର ବୟସ ପ୍ରାୟ ୩୨ରୁ ୩୫ ବର୍ଷ ମଧ୍ୟରେ ହେବ । ଯୁବତୀର ମୁହଁ ଅବସ୍ଥା ଏପରି ରହିଛି ଯେ ଶବ ଚିହ୍ନଟ କରିବା ସହଜ ନୁହେଁ ବୋଲି ପ୍ରତ୍ୟକ୍ଷଦର୍ଶୀ ୱାଡର଼୍ ନଂ ୨୨ ରଘୁନାଥପୁର ଅଂଚଳର ବିଜୁ ଯୁବ ବାହିନୀର ସଭାପତି ବିକାଶ ବାରିକ କହିଛନ୍ତି ।