କର୍ପସଫଣ୍ଡ ଭେଳିକି ଦେଖାଇ ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ: ବିଜେପି

Jan 13, 2019 - 18:19
 145
କର୍ପସଫଣ୍ଡ ଭେଳିକି ଦେଖାଇ ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ: ବିଜେପି
ଭୁବନେଶ୍ୱର, ୧୩/୧(ସକାଳଖବର): ଚିଟଫଣ୍ଡ ମାଧ୍ୟମରେ ବିଜେଡି ସରକାର ଓଡିଶାବାସୀଙ୍କୁ ଲୁଟିଛନ୍ତି । କେବଳ ଓଡିଶା ନୁହେଁ ଗରୀବ ଓଡିଆ ମାନଙ୍କୁ ସୁରଟରେ ଲୁଟି ଅଧିକ ସୁଧ ପାଇବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ହଡପ କରିଛନ୍ତି । ଚିଟଫଣ୍ଡର ଲୁଟେରାମାନେ ଶାସକ ଦଳର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଶାସକ ଦଳର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ଚିଟଫଣ୍ଡ ସଂସ୍ଥାକୁ ପ୍ରମୋଟ କରିଛନ୍ତି । ସିବିଆଇ ଜାଲରେ ଶାସକ ଦଳର ବିଧାୟକ, ସାଂସଦ ଜେଲ୍ ଯାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଯୋଗାଇଛନ୍ତି । ଅନ୍ୟପଟେ ୨ ବର୍ଷ ତଳେ ଲୋକଦେଖାଣିଆ ଭାବେ ତଦନ୍ତ ନାଁରେ ଗରୀବ ଲୋକଙ୍କ ଚିଟଫଣ୍ଡ ପଇସା ଫେରସ୍ତ ପାଇଁ ଜଷ୍ଟିସ ଏମ ଏମ ଦାସ କମିଶନ ବସାଇଥିଲେ । ବର୍ତମାନ ସୁଦ୍ଧା ୧୩ ଲକ୍ଷ ୫୦ ହାଜାର ସତ୍ୟପାଠ ଦାଖଲ ପରେ ବି ଜଣଙ୍କ ଆକାଉଂଟକୁ ଟଙ୍କାଟିଏ ବି ଆସିଲା ନାହିଁ । ଗତ ନିର୍ବାଚନ ସମୟରେ ମୁମ୍ବାଇର ଏକ ଚିଟଫଣ୍ଡ ସଂସ୍ଥା ବିଜେଡି ଦଳୀୟ ପାଣ୍ଠିକୁ ନିର୍ବାଚନ ଖର୍ଚ୍ଚ ପାଇଁ ଅର୍ଥ ଦେଇଥିଲା । ମିଥ୍ୟା ସତ୍ୟପାଠ ଦେଇଥିବା ନବୀନ ବାବୁଙ୍କ ଭାଗ୍ୟ ଏବେ ନିର୍ବାଚନ କମିଶନଙ୍କ ପାଖରେ ଝୁଲୁଛି । ନିରପେକ୍ଷ ବିଚାର ହେଲେ ନବୀନ ବାବୁ ୩ ବର୍ଷ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।