ଓମଫେଡ୍ ଡାଏରୀ ଏକ୍ସପ୍ରେସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧/୮(ସକାଳଖବର):ଏଣିକି ସାରା ରାଜ୍ୟରେ ଓମଫେଡ଼ ସଂସ୍ଥା ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ବିପଣନ ଇ କାର୍ଟ ଜରିଆରେ ସୁବିଧାରେ ଖାଉଟି ମାନଙ୍କ ଦ୍ୱାରଦେଶରେ ଉପଲବ୍ଧ କରାଇବା ଲାଗି ବ୍ୟାଟେରୀ ଚାଳିତ ଇ କାର୍ଟର ପ୍ରଚଳନ ପ୍ରୟାସ କରିଛି ।
ବୁଧବାର ଦିନ ଜୟଦେବ ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓମଫେଡ୍ ଡାଏରୀ ଏକ୍ସପ୍ରେସ୍ କୁ ଲୋକାର୍ପିତ କରିଛନ୍ତି । ଏହି ନୂତନ ବ୍ୟବସ୍ଥାରେ ଆବାସିକ, ଘରୋଇ କମ୍ପ୍ଲେକ୍ସ, ଆପାର୍ଟ ମେଂଟ, ମାର୍କେଟ ଅଂଚଳ ଅବକାଶ ବିନୋଦନ, ପାର୍କ ଏବଂ ଶିକ୍ଷାନୁଷ୍ଠାନରେ ଉପଲବ୍ଧ ହେବ । ଓମଫେଡ଼ ସହିତ ଅନୁବନ୍ଧିତ ୩ ଲକ୍ଷ ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ସେମାନଙ୍କୁ ବିକ୍ରୟ ସୁବିଧା ଯୋଗାଇ ଦେବା ସହ ଗ୍ରାହକ ମାନଙ୍କୁ ଗୁଣାତ୍ମକ ମାନର ଦୁଗ୍ଧ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଓମଫେଡ଼ ବ୍ୟାଟେରୀ ଚାଳିତ ଇ କାର୍ଟରେ ସୁବାଷିଶ ଦୁଗ୍ଧ ବୋତଲ, ରାବିଡ଼ି, ମିଠାଦହି, ପ୍ୟାକେଟ ଦହି, ସାଧା ଦହି, ଘୋଳ ଦହି, ଲସି, ଛେନାପୋଡ଼, ଟେବୁଲ ବଟର, ପନିର, ପେଡ଼ା, ଖୁଆ, ଟିଣ ପ୍ୟାକ ରସଗୋଲା, ଗୋଲାପଜାମୁ ଏବଂ ବିଭିନ୍ନ ସ୍ୱାଦର ଆଇସକି୍ରମ ଉପଲବ୍ଧ ହେବ । ସମସ୍ତ ପ୍ରକାର ସତେଜ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଓମଫେଡ଼ର ନିଯୁକ୍ତି ପ୍ରାପ୍ତ ବିକ୍ରେତା ମାନଙ୍କ ଦ୍ୱାରା ଖାଉଟି ମାନଙ୍କୁ ସିଧାସଳଖ ବିକ୍ରୟ କରାଯିବ । ପ୍ରାଥମିକ ସ୍ତରରେ ଓମଫେଡ଼ ୫୦ ଗୋଟି ଇ କାର୍ଟ ସଂଗ୍ରହ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି ।