ବିଜେଡିରେ ଯୋଗଦେଲେ ପୂର୍ବତନ ପ୍ରଶାସକଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି

Aug 1, 2018 - 18:33
 183
ବିଜେଡିରେ ଯୋଗଦେଲେ ପୂର୍ବତନ ପ୍ରଶାସକଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି
ଭୁବନେଶ୍ୱର,୧/୮(ସକାଳଖବର): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ନ ୫ଟା ସମୟରେ ପୂର୍ବତନ ବରିଷ୍ଠ ପ୍ରଶାସକ, ଚଳଚ୍ଚିତ୍ର ନିର୍ମାତା, ସାହିତି୍ୟକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ସଂସ୍କୃତି ଗବେଷକ, ସଂକୀର୍ତନ ବିଶାରଦ, ଲେଖକଙ୍କ ସମେତ ବୁଦ୍ଧିଜୀବି ଏବଂ ସମାଜସେବୀ ନବୀନ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରି କହିଥିଲେ ଯେ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଜୁ ଜନତା ଦଳରେ ଯୋଗଦେବା ଆମ ପାଇଁ ଖୁସିର ବିଷୟ । ଅବସରପ୍ରାପ୍ତ ଆଇଏଏସ (ପାଷ୍ଟ ରୋଟାରୀ ଗଭର୍ଣ୍ଣର) ରବି ନାରାୟଣ ନନ୍ଦ, ପୂର୍ବତନ ସ୍ୱତନ୍ତ୍ର ସଚିବ ବିଭୂପ୍ରସାଦ ମିଶ୍ର, ପୂର୍ବତନ ଅତିରିକ୍ତ ସଚିବ ସରୋଜ କାନ୍ତ ଚୌଧୁରୀ, ଅବସରପ୍ରାପ୍ତ ଓଏଏସ ମୋହନ ପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି ଏବଂ ଲେଖକ ପ୍ରବୀର ମହାନ୍ତି ଦଳରେ ଯୋଗ ଦେଇଛନ୍ତି ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ ଯେ ରାଜ୍ୟକୁ ସ୍ୱଚ୍ଛ ଓ ବଳିଷ୍ଠ ନେତୃତ୍ୱ ଦେଇଆସୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମକୁ ଓଡ଼ିଶାର ସେବା କରିବା ପାଇଁ ଏ ଯେଉଁ ସୁଯୋଗ ଦେଲେ, ସେଥିଲାଗି ଆମେମାନେ ତାଙ୍କ ପାଖରେ କୃତଜ୍ଞ । ଆଗାମୀ ଦିନରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆମେ ସମର୍ପିତ ଭାବେ କାର୍ଯ୍ୟ କରିବୁ ବୋଲି କହିଥିଲେ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।