ଐତିହାସିକ କୋଶଳା ଯାତ୍ରା ପାଇଁ ମା ରାମଚଣ୍ଡୀ ପୀଠ ଚଳଚଞ୍ଚଳ

Aug 28, 2018 - 19:08
 188
ଐତିହାସିକ କୋଶଳା ଯାତ୍ରା ପାଇଁ ମା ରାମଚଣ୍ଡୀ ପୀଠ ଚଳଚଞ୍ଚଳ
ଅନୁଗୋଳ,୨୮,୮ (ସକାଳଖବର): ଅନୁଗୋଳ ଜିଲା କୋଶଳାଠାରେ ପ୍ରସିଦ୍ଧ କୋଶଳା ଯାତ୍ରା ମା ରାମଚଣ୍ଡୀ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ୪ ଦିନ ଧରି ହେବାକୁ ଥିବା ଏହି ରାମଚଣ୍ଡୀ ଯାତ୍ରାର ମହିଳା ଅତୁଳନୀୟ ।ପ୍ରସିଦ୍ଧ କୋଶଳା ରାମଚଣ୍ଡୀ ପୀଠରେ ମା’ଙ୍କ ଆର୍ଶିବାଦ ଲାଭ କରି ମାନସିକ ପୁରଣ ହେବା ସହିତ ଅପୁତ୍ରିକ ମହିଳାମାନେ ମାଙ୍କ ଆର୍ଶିବାଦରୁ ସନ୍ତାନ ଲାଭ କରନ୍ତି ବୋଲି ବହୁ ଦିନରୁ ପ୍ରଭାବ ରହି ଆସିଥିବାର ସେଠାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଅସମ୍ଭବ ହୋଇଥାଏ । ଠାକୁରାଣୀ ଯାତ୍ରା ସହିତ କୋଶଳା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସହିତ ନୀବିଡ଼ ସଂପର୍କ ଯାତ୍ରା ଥିବାରୁ ଯାତ୍ରାଦିନ ସେଠାରେ ଜାତୀୟ ପତାକାକୁ ମଧ୍ୟ ଉତ୍ତୋଳନ କରାଯାଇଥାଏ । ଅକ୍ଷୟ ତୃତୀୟ ପୂର୍ବଦିନ ତଥା ବୈଶାଖ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ ଏବଂ ମା’ଙ୍କର ଧୂଳିଆ ପୂଜା ସଂପନ୍ନ କରାଯାଇଥାଏ । ଭାଦ୍ରବ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରୁ ମା’ଙ୍କର ଯାତ୍ରା ଆରମ୍ଭ ହୋଇଥାଏ । କୋଶଳା ଗ୍ରାମଟି ଇଂରେଜ ଶାସନ କାଳରୁ ସଂଗ୍ରାମୀଙ୍କ ରଣଭୂଇଁ ଭାବେ ପରିଚିତା ତେବେ ୧୯୪୨ ସାଲରେ ଇଂରେଜମାନଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନେ୍ଦାଳନ ଡ଼କରା ଦିଆଯାଇଥିଲା । କିନ୍ତୁ ସେହିଦିନ ମା’ ରାମଚଣ୍ଡୀଙ୍କର ଯାତ୍ରା ଚାଲିଥିବାରୁ ସ୍ୱାଧୀନତା ସଂଗ୍ରାମୀମାନେ ଯାତ୍ରାର ମଞ୍ଚରେ ତ୍ରିରଙ୍ଗା ଉଡ଼ାଇ ମା’ଙ୍କ ନିକଟରେ ଶପଥ ନେଇ ଆନେ୍ଦାଳନରେ ସାମିଲ ହୋଇଥିବାରୁ ସେହିଦିନ ଠାରୁ ଅଦ୍ୟାବିଧି ଯାତ୍ରା ସମୟରେ ପୀଠରେ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରାଯାଇଥାଏ । ମା’ ରାମଚଣ୍ଡୀଙ୍କ ଆର୍ବିଭାବର ବହୁ ପୂର୍ବରୁ ସ୍ୱଂୟ ଭୂଷିତ ପାତାଳଭେଦି ଖୁମ୍ବ ବା ଲିଙ୍ଗ ରୂପରେ ଆର୍ବିଭୂତ ହୋଇ ଖୁମ୍ବେଶ୍ୱରୀ ନାମରେ ପୂଜା ପାଉଥିଲେ । ଖୁମ୍ବେଶ୍ୱରୀ ରୂପି ମହାଦେବ ରାମଚଣ୍ଡୀ ରୂପି ପାର୍ବତୀଙ୍କୁ ଏଠାରେ ରହିବାକୁ ଅନୁରୋଧ କରିବା ପରେ ତାପରେ ଖୁମ୍ବରୂପୀ ରାମଚଣ୍ଡୀ ଏଠାରେ ସ୍ଥାପିତ ହେଲେ । ପରେ ପୀଠର ନାମ ରାଚଚଣ୍ଡୀ ପୀଠ ଭାବରେ ଖ୍ୟାତ ହେଲା । ମା’ ରାମଚଣ୍ଡୀ ଶିବପାର୍ବତୀଙ୍କ ଆର୍ଶିବାଦରୁ ବିଭିନ୍ନ ମାନସିକ ଧାରୀ ଓ ବନ୍ଧ୍ୟା ମହିଳାମାନେ ଅଧିଆ ପଡ଼ି ଆର୍ଶିବାଦ ଭିକ୍ଷା କରିଥାନ୍ତି ବୋଲି ବିଶ୍ୱାସ ରହି ଆସିଛି । ଏକଦା ଅନୁଗୋଳର ରାଣୀ ମା’ଙ୍କ ଆର୍ଶିବାଦରୁ ସନ୍ତା ପ୍ରାପ୍ତି ହୋଇଥିବାର କୁହାଯାଏ । ଏଥିପାଇଁ ରାଣୀ ସେବକମାନଙ୍କ ପାଇଁ ଜମି ଭୂ-ସମ୍ପତ୍ତ୍ିମାନ ପ୍ରଦାନ କରି ମା’ଙ୍କ ପୀଠ ମଣ୍ଡପ ନିର୍ମାଣ କରିଥିଲେ ବୋଲି କୁହାଯାଏ । ଏବେ ସେଠାରେ ଭକ୍ତମାନଙ୍କ ସାହାଯ୍ୟ ଓ ସହାନୁଭୂତିରେ ସୁରମ୍ୟ ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ପରିଚାଳନା କମିଟି ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମା’ଙ୍କର ପୂଜାର୍ଚ୍ଚନା ତଥା ଯାତ୍ରା ଯେପରି ସୁପରିଚାଳନା ହୋଇ ପାରିବ ସେଥିପାଇଁ ପୂର୍ବରୁ ସବୁ ପ୍ରସ୍ତତି କାର୍ଯ୍ୟ ସରିଥାଏ । କୋଶଳା ଗ୍ରାମର ଯୁବକ ମନ୍ୟଗଣ୍ୟବ୍ୟକ୍ତିମାନେ ବିଭିନ୍ନ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଥାନ୍ତି । ଆଜି ପ୍ରତ୍ୟୁଷରୁ ଦେହୁରୀ ପୀଠ ଓ ବାଳଧୂପ ପୂଜା ସଂପନ୍ନ କରିବା ପରେ ଦିନ ୧୨ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ପାଇଁ ମନ୍ଦିର ଭକ୍ତମାନଙ୍କ ଖୋଲା ରହେ । ମାନସିକଧାରୀମାନେ ଖୁମ୍ବେଶ୍ୱରୀଙ୍କ ନିକଟରେ ଅଧିଆ ପଡ଼ିଥାନ୍ତି । ପ୍ରାୟ ଦିନ ୨ଟା ବେଳେ ପୀଠ ସ୍ଥଳୀକୁ କାଳସୀ ବିଜେ କରିଥାନ୍ତି । ରାଜକୀୟ କରିପାଟିରେ ଢେ଼ାଲ, ମାର୍ଦ୍ଧଳ, ଘଣ୍ଟ, ଛତି, ତରାଶ ସହ ବିରାଟ ପଟୁଆରରେ ପୀଠସ୍ଥଳିକୁ ଆସିଥାନ୍ତି । ପ୍ରଥମେ ଛାଟ ଖମ୍ବ ଓ ଖୁମ୍ବେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବା ପରେ କାଳିଶୀଙ୍କ ଦେହରେ ଠାକୁରାଣୀ ଆବିର୍ଭାବ ହୁଅନ୍ତି ଏବଂ ବେଢ଼ା ମଧ୍ୟରେ ଅଧିଆ ପଡ଼ିଥିବା ଭକ୍ତମାନଙ୍କୁ ଉଠାଇ କାଳିଶୀ ପ୍ରସାଦ ପ୍ରଦନା ସହ ବର ପ୍ରଦାନ କରିଥାନ୍ତି । ପରେ ମା’ଙ୍କର ମାଜଣା ଆଦି କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ପୂର୍ବରୁ ଏଠାରେ ବହୁ ସଂଖ୍ୟାରେ ପଶୁବଳି ପଢ଼ୁଥିବା ବେଳେ ପ୍ରାୟ ୧୫ ବର୍ଷରୁ ଉଦ୍ଧ୍ୱର୍କାଳ ଏହି ପ୍ରଥା ବନ୍ଦ ହୋଇଯାଇଛି । ଯାତ୍ରାସ୍ଥଳୀରେ ଭକ୍ତମାନେ ହଜାର ହଜାର ସଂଖ୍ୟାରେ ମା’ଙ୍କ ଦର୍ଶନ କରିବା ସହିତ ଦୋକାନ ବଜାରରୁ ଜିନିଷ ପତ୍ର କିଣାକିଣି କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଉଠାଦୋକାନୀମାନେ ଅସ୍ଥାୟୀ ଦୋକାନ ଖୋଲିଥାନ୍ତି । ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥାଏ । ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ଅପେରା ତଥା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ତେବେ କୋଶଳା ଯାତ୍ରା ନାମରେ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ପୀଠରେ ଭକ୍ତମାନଙ୍କ ଆଶ୍ରୟ ସ୍ଥଳ, ପାନୀୟ ଜଳ, ବିଦ୍ୟୁତ, ରାସ୍ତାର ବ୍ୟବସ୍ଥାକୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଉଚିତ ବ୍ୟବସ୍ଥା କରିବାକୁ ଦାବୀ ହେଉଛି ଏବଂ ପୀଠ ସ୍ଥଳୀର ଚତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାର ଆବଶ୍ୟକତା ଅଛି ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଶ ।