ଏକ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନର ଷଡ଼ଯନ୍ତ୍ରର ଶୀକାର ଓଏସଏଲ
ପାରାଦ୍ୱୀପ,୨୮/୮ (ସକାଳଖବର): ଓଡିଶାର ଅଗ୍ରଣୀ ଷ୍ଟିଭେଡରିଙ୍ଗ ସଂସ୍ଥା ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ) ବିରୁଦ୍ଧରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରଚନା କରାଯାଇ ତାହାକୁ ଏକ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି, ଯାହାକି ପ୍ରକାରାନ୍ତରେ ନିର୍ଦ୍ଧିଷ୍ଟ ଭାବେ ଓଏସଏଲ କମ୍ପାନୀର ବ୍ୟକ୍ତିଗତ କ୍ଷତି ସହିତ ପାରାଦ୍ୱୀପ ବନ୍ଦରର ଅପୂରଣୀୟ ଆର୍ଥିକ କ୍ଷତି ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାକୁ ଯାଉଛି ବୋଲି ଓଏସଏଲ୍ ର ଭାଇସ୍ ପ୍ରେସିଡେଂଟ ପ୍ରଫୁଲ୍ଲ କୁମାର ପଣ୍ଡା ଗତକାଲି ସଂଧ୍ୟାରେ ପାରଦ୍ୱୀପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଏସଏଲ କ୍ରମାଗତ ଭାବେ ପାରାଦ୍ୱୀପ ବନ୍ଦର ଓ କେନ୍ଦ୍ରର ସଂପୃକ୍ତ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ପଣ୍ୟ ବୋଝେଇ ଓ ଖଲାସରେ କୃତିତ୍ୱର ସହିତ କାର୍ଯ୍ୟ କରିଥିବାରୁ ପୃରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଅଛି । ଦୀର୍ଘ ୭୦ ଦଶକରୁ ଏ ପର୍ଯ୍ୟନ୍ତ ଓଏସଏଲ ଶ୍ରମିକ ଓ କର୍ମଚାରୀମାନଙ୍କ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ ରହି ବନ୍ଦରର ଟ୍ରାଫିକ୍ କାମ କରି ଆସୁଛି । ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ କର୍ମଚାରୀ ମାନଙ୍କୁ ପ୍ରଦାନରେ ଠିକ୍ କାର୍ଯ୍ୟ କରି ଆସିଛି । ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶ୍ରମ, ବିଭାଗ ପକ୍ଷରୁ କୈାଣସି କର୍ମଚାରୀଙ୍କର ଅଭିଯୋଗ ଉପରେ ନୋଟିସ୍ ଆସି ନାହିଁ । କିମ୍ବା ବନ୍ଦର ବିଭାଗ ପକ୍ଷରୁ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ । କିନ୍ତୁ ଏସବୁ ସତ୍ୱେ ଗତ ୬ ମାସ ଧରି ପାରାଦ୍ୱୀପ କର୍ମଚାରୀ ଓ ଶ୍ରମିକ ମିଳିତ ସଂଗଠନ ଓଏସଏଲ ବିରୁଦ୍ଧରେ ମିଥ୍ୟା, କପୋଳକଳ୍ପିତ ଓ ଆଧାର ବିହୀନ ମନ ଗଢା କାହାଣୀ କହି ଅପପ୍ରଚାର କରିବାରେ ଲାଗିଛନ୍ତି । କୈାଣସି କର୍ମଚାରୀଙ୍କୁ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ବଦଳି କରାଗଲେ ସଂପୃକ୍ତ ଶ୍ରମିକ ସଂଘ ସେ ବାବଦରେ ବିନା ସୂଚନାରେ ଧର୍ମଘଟର ଡ଼ାକରା ଦେଉଛି । ଜାଶିଶୁଣି ଯୋଜନାବଦ୍ଧ ଭାବେ ବନ୍ଦର କାର୍ଯ୍ୟକୁ ସମାନ୍ତରାଳ କରାଯାଉଛି । ଯାହା ଫଳରେ ଓଏସଏଲର କାର୍ଯ୍ୟ କ୍ଷତି ହେବା ସହିତ ସାଧାରଣରେ ବନ୍ଦରର କାର୍ଯ୍ୟ ମଧ୍ୟ କ୍ଷତି ହେଉଛି, ଯାହାର ସୁଦୂର ପ୍ରସାରୀ ପ୍ରଭାବ ଖୁବ୍ ଶୀଘ୍ର ବନ୍ଦରର ୬ ମାସିଆ ଓ ଆର୍ଥୀକ ବର୍ଷ ଟ୍ରାଫିକ୍ କାରବାର ଉପରେ ପଡିବାକୁ ଯାଉଛି । ଫଳରେ ବନ୍ଦରର ଆର୍ଥିକ କ୍ଷତି ସହିତ ସର୍ବ ଭାରତୀୟ ବୃହତ ବନ୍ଦର ପଣ୍ୟ କାରବାରରେ ଯୋଗ୍ୟତା ହରାଇବାକୁ ପଡିବ ? ଏଣୁ ଖୁବ୍ ଶ୍ରୀଘ୍ର ସଂପୃକ୍ତ ବିଭାଗମାନେ ଏହି ସମ୍ବେଦନଶୀଳ ବିଷୟ ଉପରେ ତୀକ୍ଷ୍ନ ଦୃଷ୍ଟି ଦେଇ ମାମଲାର ସମାଧାନ ନିମନ୍ତେ ସେ ନିବେଦନ କରିଛନ୍ତି ।
ଏହି ସବୁ ବାବଦରେ ବନ୍ଦରର ବିଭାଗ ଓ ଶ୍ରମ ବିଭାଗକୁ ସୂଚନା ଓ ପଦକ୍ଷେପ ନେବା ପାଇଁ ବାରମ୍ବାର ମଧ୍ୟ ଅନୁରୋଧ କରାଯାଇଛି । ବନ୍ଦର କର୍ତୃପକ୍ଷ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କିଛିଟା ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେବେ ଆଗାମୀ ଦିନରେ ଯଦି ଏହି ମନମୁଖୀ ଧାରାରେ ରୋକ୍ ଲଗା ନ ଯାଏ ତେବେ ବୃହତ ବନ୍ଦର ପାରାଦ୍ୱୀପର ଆର୍ଥିକ କ୍ଷତି ସାଙ୍ଗକୁ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାର ଆଶଙ୍କା ଦେଖା ଦେଇଛି ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି ।