ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାଲିକଙ୍କ ସମେତ ୨ଜଣଙ୍କୁ ଘେରିଲା ଆୟକର ବିଭାଗ

Jan 11, 2019 - 18:05
 214
ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାଲିକଙ୍କ ସମେତ ୨ଜଣଙ୍କୁ ଘେରିଲା ଆୟକର ବିଭାଗ
ରାଉରକେଲା, ୧୧/୧(ସକାଳଖବର): ଓଡିଶାର ଅନ୍ୟତମ ଖଣି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିମାଲିକ ଦିପ୍ତିରଂଜନ ପଟ୍ଟନାୟକଙ୍କ ବାସଭବନ, ଅଫିସ ସମେତ ଆଜି ଆୟକର ବିଭାଗ ପକ୍ଷରୁ ଏକ କାଳିନ ୧୬ଟି ଜାଗାରେ ଚଢଉ ହୋଇଥିବା ଖବର ମିଳିଛି । ତେବେ ଏହି ଚଢଉ ତାଙ୍କୁ ଦିଲୀପ ରାୟଙ୍କ ଲାଗି ଭୋଗିବାକୁ ପଡିଲା ବୋଲି ସହରରେ ଚର୍ଚ୍ଚା ଚାଲିଛି । କାରଣ ଦିଲୀପ ବିଜେପି ଛାଡିବା ପରେ ବିଦେଶରୁ ରାଉରକେଲା ଆସିବା ବେଳେ ସେ ଦିପ୍ତି ବାବୁଙ୍କ ଉଡାଜାହାଜରେ ଆସିଥିଲେ । ତା’ ଛଡା ବିଜେପି, କଂଗ୍ରେସ ଲାଗି ସେ କୁଆଡେ ମଧ୍ୟସ୍ଥତା କରୁଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେଣୁ ଏହା ତାହାର ଫଳ ହୋଇଥାଇପାରେ ବୋଲି କୁହାଯାଉଛି । ଶ୍ରୀ ପଟ୍ଟନାୟକଙ୍କ ରାଉରକେଲା ସିଭିଲ ଟାଉନ ସ୍ଥିତ ବାସଭବନ, ଅଫିସ, ଯୋଡାର ଖଣି ଅଫିସରେ ଆଜି ସକାଳୁ ବିଭାଗୀୟ ଅଧିକାରୀ ମାନେ ପଶିବା ପରେ ଏହି ଖବର ପଦାକୁ ଆସିଥିଲା । ଇନ୍ଦ୍ରାଣୀ ପଟ୍ଟନାୟକଙ୍କର ୨ଟି ଖଣି କେଉଁଝର ଜିଲ୍ଲାର ଯୋଡାରେ ରହିଛି । ଗୋଟିଏ ଲୌହ ଓ ଅନ୍ୟଟି ମାଙ୍ଗାନିଜ ଓ ଲୌହ । ଏହା ଭିତରୁ ଗୋଟିଏ ଖଣି ବନ୍ଦହୋଇ ରହିଥିବାବେଳେ ଅନ୍ୟଟିକୁ ଖୋଳିବା ଲାଗି ରେଜିଂ ଠିକାଦାରକୁ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ୨ ବର୍ଷ ତଳେ ଏହିଭଳି ତାଙ୍କର ରାଉରକେଲା ଅଫିସରେ ଏକ ଯାଂଚ ହେବା ପରେ ଏହା ୨ୟ ଥର ଚଢ଼ଉ ବୋଲି ଜଣାପଡିଛି । ଶ୍ରୀ ପଟ୍ଟନାୟଙ୍କର ଯୋଡା, ବଡବିଲ, କେଉଁଝର, ଭୁବନେଶ୍ୱର,ରାଉରକେଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀକ ସ୍ଥାନ ଓ ତାଙ୍କ ସହ ବ୍ୟବସାୟ କରିଥିବା ସଂସ୍ଥା ଗୁଡିକରେ ଏହି ଚଢ଼ଉ ଚାଲିଥିବା ସୂଚନା ମିଳିଛି । ରାଉରକେଲାର ଅନ୍ୟତମ ବ୍ୟବସାୟୀ ସଂଜୟ ବଂସଲଙ୍କୁ ମଧ୍ୟ ଆୟକର ବିଭାଗ ଏହି ମାମଲାରେ ଘେରିଥିବା ଜଣାପଡିଛି ।ତାଙ୍କର ରାଉରକେଲା ସ୍ଥିତ ଘର ଓ ଅଫିସରେ ମଧ୍ୟ ଚଢ଼ଉ ଚାଲିଥିବା ଜଣାପଡଛି । ରାଜ୍ୟରେ ଖଣି ଲୁଟ୍ ନେଇ ସାହା କମିଶନ ରିପୋର୍ଟ ଦେବା ପରେ ଖଣି ଚୋରୀ ଅଭିଯୋଗ ଆସିଥିବା ଲେସି ମାନଙ୍କୁ ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାଇ ୨୩ ଜଣଙ୍କୁ ଜୋରିମାନା ଦେବା ଲାଗି ଆଦେଶ ରହିଥିଲା । ତେବେ ସେମାନଙ୍କ ଭିତରୁ କିଛି କୋର୍ଟଙ୍କ ଆଦେଶ ମାନିଥିବା ବେଳେ ଅନ୍ୟ କେତେକ ପୁଣି ଅପିଲ୍ ରେ ରହିଛନ୍ତି । ତା’ ଭିତରେ ଆୟକର ବିଭାଗ ପକ୍ଷରୁ କେଉଁଝର ଓ ସୁନ୍ଦରଗଡ ଜିଲ୍ଲାର ଖଣି ମାଲିକ ମାନଙ୍କୁ ବିଭିନ୍ନ ସମୟରେ ଯାଂଚ କରାଯାଉଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ବାସଭବନ ଓ ଅଫିସରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭିଡ଼ ଲାଗିଥିଲେ ବି ସେମାନଙ୍କୁ ଭିତରକୁ ଛଡାଯାଇ ନଥିଲା । ତେବେ ମୋଟ୍ ୩୦ ଜଣ ଅଧିକାରୀ ଏହି ଚଢ଼ଉରେ ସାମିଲ୍ ହୋଇଥିବା ବେଳେ ଚଢଉ ସଂପର୍କରେ ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।