ଅପରେସନ ପରୀ-୩

Aug 4, 2019 - 11:24
 125
ରାଉରକେଲା, ୨/୮(ସକାଳଖବର): ରାଉରକେଲା ପୁଲିସ ଓ ଶ୍ରମ ବିଭାଗର ମିଳିତ ଚଢ଼ଉ ଅପରେସନ ପରୀ-୩ରେ ଜିଲ୍ଲାରୁ ୭ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନେକ ଦିନ ଧରି ଜିଲ୍ଲାର ବିଭିନ୍ନ ଅଂଚଳରୁ ନିଖୋଜ ଥିବା କେତେକ ନାବାଳକ ଓ ନାବାଳିକାଙ୍କ ପରିବାରବର୍ଗ ଏନେଇ ଥାନାରେ ଏତଲା କରିଥିଲେ । ଏସବୁ ଅଭିଯୋଗ ଆଧାରରେ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ, ଜଣେ ଡିଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବିଭିନ୍ନ ଯାଗାରେ ଚଢ଼ଉ କରିଥିଲେ । ଫଳରେ ବଣେଇରୁ ୩ ଜଣ, ସେକ୍ଟର-୭ ଥାନା ଇଲାକାରୁ ୨ ଜଣ, ସେକ୍ଟର -୧୯ରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଗତ ମାସ ୩୦ ଓ ୩୧ ଦୁଇଦିନ ଧରି ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏମାନଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ଜିମାରେ ଛଡାଯାଇଛି । ତେବେ ଏମାନେ କାହିଁକି ଓ କେଉଁ ପରିସ୍ଥିତିରେ ଘର ଛାଡିଥିଲେ, ସେ ନେଇ ତଦନ୍ତ ହେବା ସହ ସେମାନଙ୍କର ବୟାନ ୧୬୪ ରେ ରେକର୍ଡ କରାଯିବ ବୋଲି ପୁଲିସ କହିଛି । ଏହି ୭ ଜଣ ନାବାଳକ ନାବାଳିକା ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।