୬ ବର୍ଷ ପରେ ଫାଇନାଲରେ କୋଲକାତା

Oct 14, 2021 - 05:57
 64
୬ ବର୍ଷ ପରେ ଫାଇନାଲରେ କୋଲକାତା
ଦୁବାଇ: ଚଳିତ ଆଇପିଏଲର ୧୩ତମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଟ୍ରଫି ଟକ୍କର ପାଇଁ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଗୋଟିଏ ପଟେ ୩ଥରର ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଥିବା ବେଳେ ଅନ୍ୟପଟେ ରହିଛି ଦୁଇ ଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ। ଦୀର୍ଘ ୬ ବର୍ଷ ପରେ କୋଲକାତା ଆଇପିଏଲର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ହେଲେ ଦଳ ଆଗରେ ଏବେ ଚେନ୍ନାଇ ଭଳି ଶକ୍ତିଶାଳୀ ଦଳ ରହିଛି। କୋଲକାତା ଆଇପିଏଲର ତୃତୀୟ ଦଳ ଭାବେ ଏଲିମିନେଟର ମ୍ୟାଚ୍ ଖେଳି ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି। ପୂର୍ବରୁ କେବଳ ଚେନ୍ନାଇ(୨୦୧୩) ଓ ସନରାଇଜର୍ସ ହାଇଦ୍ରାବାଦ(୨୦୧୮)ରେ ଏପରି କୀର୍ତ୍ତିମାନ କରିଥିଲେ। ଏବେ ଏହି କ୍ଲବରେ କୋଲକାତା ସାମିଲ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇଥର ଆଇପିଏଲ ଟ୍ରଫି ଜିତିଥିବା କୋଲକାତା କେବେ ହେଲେ ଫାଇନାଲରେ ପରାସ୍ତ ହୋଇନି। ୨୦୧୨ରେ କୋଲକାତା ଧୋନିଙ୍କ ଚେନ୍ନାଇଙ୍କୁ ୫ ୱିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚ୍‌ରେ ମନଭିନ୍ଦର ବିସଲା ୪୮ ବଲ୍‌ରେ ବିସ୍ଫୋରକ ୮୯ ରନ୍‌ର ଇନିଂସ ଖେଳିଥିଲେ। ସେହିପରି ୨୦୧୪ରେ ଦଳ କିଙ୍ଗସ ଏକାଦଶ ପଞ୍ଜାବ(ବର୍ତ୍ତମାନ ପଞ୍ଜାବ କିଙ୍ଗସ)କୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଋଦ୍ଧିମାନ ସାହା ୧୧୫ ରନ୍‌ର ଇନିଂସ ଖେଳିଥିଲେ। କିନ୍ତୁ ମନୀଷ ପାଣ୍ଡେଙ୍କ ୯୪ ଓ ପୀୟୂଷ ଚାୱଲାଙ୍କ ଚମତ୍କାର ବିସ୍ଫୋରକ ବ୍ୟାଟିଂ ବଳରେ କୋଲକତା ୩ ୱିକେଟରେ ବାଜିମାତ କରିଥିଲା।