୫୫ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ପାଇଁ କ୍ୟାବିନେଟ ନିଷ୍ପତ୍ତି
ଭୁବନେଶ୍ୱର,୨†୯ (ସକାଳଖବର): ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ । ଚାଉଳ ଆକାରରେ ତାହା ୩୭ ଲକ୍ଷ ଟନ୍ ହେବ । ଏଥିମଧ୍ୟରୁ ୨୩ ଲକ୍ଷ ମେଟ୍ରିକ୍ ଟନ୍ ସାଧାରଣ ବଂଟନ ପାଇଁ ରଖାଯିବ ଏବଂ ଅବଶିଷ୍ଟ ଚାଉଳ ଏଫସିଆଇକୁ ଦିଆଯିବ । ରାଜ୍ୟ ଯୋଗାଣ ନିଗମ ପ୍ୟାକ୍ସ୍ ଓ ଲ୍ୟାମ୍ପସ୍ ମାଧ୍ୟମରେ ସଂଗ୍ରହ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି ।
ସୋମବାର ପୂର୍ବାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ପରେ ମଂଜୁରୀ ପାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ସଂଗ୍ରହଣ ନୀତି ୨୦୧୮-୧୯କୁ କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛି । ଏହି ଖରିଫ ବିପଣନ ବର୍ଷ ୨୦୧୮-୧୯ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଯଦି ଅଧିକ ଧାନ ପଂଜୀକୃତ ଚାଷୀମାନଙ୍କ ଠାରୁ ମଣ୍ଡିକୁ ଆସିବ ତାହାକୁ ସରକାର କ୍ରୟ କରିବେ । ଆବଶ୍ୟକ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଧାର୍ଯ୍ୟ ଲକ୍ଷ୍ୟର ପରିମାଣ ବୃଦ୍ଧି କରିପାରିବେ । ୨୦୧୭-୧୮ ଖରିଫ ବିପଣନ ବର୍ଷରେ ଉଭୟ ଖରିଫ ଓ ରବି ଋତୁରେ ସମୁଦାୟ ୪୯.୬ ଲକ୍ଷ ମେଟ୍ରିକ୍ ଟନ୍ ର ଧାନ କ୍ରୟ କରାଯାଇଥିଲା । ଚାଉଳ ହିସାବରେ ତାହା ଥିଲା ୩୩.୨୧ ଲକ୍ଷ ମେଟ୍ରିକ୍ ଟନ୍ । ଧାନ ସଂଗ୍ରହର ଅବଧି ସମ୍ପର୍କରେ ସେ କହିଲେ ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ସେହିପରି ରବି ଧାନ ମଇ ୨୦୧୯ରୁ ଜୁନ୍ ପର୍ଯ୍ୟନ୍ତ ସଂଗ୍ରହ କରାଯିବ । ଅନଲାଇନ୍ ବ୍ୟବସ୍ଥାରେ ପଂଜୀକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ । ପଂଜୀକରଣ ପାଇଁ ଚାଷୀମାନେ ପ୍ଲଟ୍ ୱାରୀ ତଥ୍ୟ ପ୍ରଦାନ କରିବେ । ପ୍ଲଟ୍ ବାବଦର ତଥ୍ୟର ସତ୍ୟାସତ୍ୟ ରାଜସ୍ୱ ବିଭାଗ ଦ୍ୱାରା ପରିଚାଳିତ ‘ଭୂଲେଖ ତଥ୍ୟ ଭଣ୍ଡାର’ ସହ ସଂଯୁକ୍ତ କରାଯାଇ ନିର୍ଣ୍ଣୟ କରାଯିବ । କ୍ରୟକାରୀ ସମବାୟ ସମିତି (ପ୍ୟାକ୍ସ ଓ ଲ୍ୟାମ୍ପସ୍ )ମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ , ଭାଗ ଚାଷୀ , କ୍ଷୂଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ ।
ଏହି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଢୀ କହିଥିଲେ ଯେ ଏଣିକି ମୁଣ୍ଡପିଛା କଟାଯାଉଥିବା ୩ କ୍ୱିଂଟାଲ ଧାନ ଆଉ କଟାଯିବ ନାହିଁ । ଯାହା ଫଳରେ ଭାଗଚାଷୀ , କ୍ଷୂଦ୍ର ଓ ନାମମାତ୍ର ଚାଷୀ ବିଶେଷ ଭାବେ ଉପକୃତ ହେବେ । ଧାନ କଟାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ । ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ୍ ଏ ଧାନ ପାଇଁ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଓ ୧୭୭୦ ହାରରେ ଚାଷୀଙ୍କୁ ପ୍ରଦାନ କରାଯିବ । ଧାନର ଅନୁମୋଦିତ ମାନ (ଏଫଏକ୍ୟୁ) ଉପରେ ବ୍ୟାପକ ପ୍ରେଚାର ଓ ପ୍ରସାର କରିବା ପାଇଁ ସଂଗ୍ରହକାରୀ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ । ମିଲର ମାନେ ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଚାଉଳ ଫେରସ୍ତ କରିବେ