୪ ଜଣଙ୍କୁ ଫାଶିରେ ଝୁଲାଇଲେ ନକ୍ସଲ

Nov 14, 2021 - 09:27
 61
୪ ଜଣଙ୍କୁ ଫାଶିରେ ଝୁଲାଇଲେ ନକ୍ସଲ
ପାଟନା: ବିହାରର ଗୟା ଜିଲ୍ଲାରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳ ନିକଟସ୍ଥ ମୋନବର ଗ୍ରାମବାସୀ ସରଜୁ ସିଂ ଭୋକ୍ତାଙ୍କ ଘରକୁ କରିଛନ୍ତି ବୋମାମାଡ଼ । ଏହାସହିତ ସରଜୁଙ୍କ ଦୁଇ ପୁଅ ସତ୍ୟେନ୍ଦ୍ର ସିଂ ଭୋକ୍ତା ଏବଂ ମହେନ୍ଦ୍ର ସିଂ ଭୋକ୍ତା ଏବଂ ପତ୍ନୀଙ୍କୁ ଘର ବାହାରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି । ଏହି ନକ୍ସଲମାନେ ଅଭିଯୋଗ କରିଛନ୍ତି ଯେ ୧ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ୪ ନକ୍ସଲଙ୍କୁ ଏନକାଉଣ୍ଟର ପରିବର୍ତ୍ତେ ଖାଦ୍ୟରେ ବିଷ ମିଶାଇ ହତ୍ୟା କରାଯାଇଛି । ଏହାପରେ ଏହି ହତ୍ୟାକାଣ୍ଡକୁ ଏନକାଉଣ୍ଟରର ରୂପ ଦିଆଯାଇଛି । ଏହି ହତ୍ୟାକାଣ୍ଡରେ ଗ୍ରାମବାସୀ ପୋଲିସ ସହିତ ମିଶି ଏପରି ହତ୍ୟାକାଣ୍ଡ ଘଟାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ବିଶ୍ବାସଘାତକତାର ଜବାବ ଦେଇଛନ୍ତି ବୋଲି କହିଛନ୍ତି । ବିଶ୍ବାସଘାତୀଙ୍କ ସହିତ ଏପରି ହେବା ଉଚିତ ବୋଲି ନକ୍ସଲମାନେ ପୋଷ୍ଟରରେ ଦର୍ଶାଇଛନ୍ତି । ୪ ନକ୍ସଲ ଅମରେଶ କୁମାର, ସୀତା କୁମାର, ଶିବପୁଜନ କୁମାର ଓ ଉଦୟ କୁମାରଙ୍କ ହତ୍ୟାର ସେମାନେ ପ୍ରତିଶୋଧ ନେଇଛନ୍ତି ବୋଲି କହିଛନ୍ତି ।ସେପଟେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।