୨୮ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

Feb 23, 2019 - 18:45
 148
ଭୁବନେଶ୍ୱର, ୨୨/୨(ସକାଳଖବର): ବାଣିଜି୍ୟକ ବ୍ୟାଙ୍କ ଏବଂ ଖୋଲା ବଜାରରୁ ଗ୍ରୀଡକୋ ତିନିହଜାର କୋଟି ଟଙ୍କା ଋଣ ଉଠାଇବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଆଜି ଅପରାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୨୮ଟି ବିଷୟ ଉପରେ ଆଲୋଚନା କରାଯାଇ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ ବୈଠକ ପରେ କ୍ୟାବିନେଟ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କର ସୂଚନା ଦେଇ କହିଥିଲେ ଯେ, ଗ୍ରୀଡ୍କୋ ସଂସ୍ଥା ୫ହଜାର କୋଟି ଟଙ୍କା ଋଣ କରିଥିଲା ଏବଂ ରାଜ୍ୟ ସରକାର ଗ୍ୟାରେଂଟର ହୋଇଥିଲେ । ସେଥିମଧ୍ୟରୁ ୩୧୫୭.୮୫ କୋଟି ଟଙ୍କା ପରିଶୋଧ କରିସାରିଛନ୍ତି । ଏବେ ଆଉ ୩ହଜାର କୋଟି ଟଙ୍କା ନୂତନ ଋଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି । ସେ କହିଲେ ଯେ, ଘୋଷିତ ହୋଇଥିବା କାଳିଆ ଛାତ୍ରବୃତି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀ, ଭୂମିହୀନ, କୃଷି ଶ୍ରମିକ ଓ କୃଷକ ଚାଷୀମାନଙ୍କର ପିଲାମାନଙ୍କ ପାଇଁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ(ଇଞ୍ଜିନିୟରିଂ, ମେଡ଼ିକାଲ୍, ଭେଟନାରୀ, ଏଗ୍ରିକଲଚର) କ୍ଷେତ୍ରରେ ସମୁଦାୟ ସିଟ୍ର ୧୦ ପ୍ରତିଶତ ଏବଂ ସରକାରୀ ଆଇଟିଆଇ ଓ ପଲିଟେକ୍ନିକ, ଫାର୍ମାସିଷ୍ଟ, ଏଏନଏମ, ନର୍ସିଂରେ ୨୦ ପ୍ରତିଶତ ସଂରକ୍ଷଣ ରହିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିପାଇଁ ୩୫ଟି ପାଠ୍ୟକ୍ରମକୁ ଚିହ୍ନଟ କରାଯାଇଛି । ହଷ୍ଟେଲ ଚାର୍ଜ ଓ କୋର୍ସ ଫି’କୁ ସରକାର ବହନ କରିବା ପାଇଁ ସ୍ଥିର ହୋଇଛି । ଶ୍ରୀ ପାଢ଼ୀ ଆହୁରି କହିଥିଲେ ଯେ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୬ଲକ୍ଷ ଏସଏସଜି ଗ୍ରୁପକୁ ସ୍ମାର୍ଟଫୋନ ଦିଆଯିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ତା’ ସହିତ ବିନା ସୁଧରେ ତିନିଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ମଧ୍ୟ ଦିଆଯିବ । ଖୁସି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରୀମାନଙ୍କୁ ବିନାମୂଲ୍ୟରେ ସାନିଟାରୀ ନାପକିନ ଯୋଗାଇ ଦିଆଯିବ । ଏହାବ୍ୟତୀତ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟକୁ ମଧ୍ୟ ସାମିଲ କରାଯିବ । ପ୍ରତ୍ୟେକ ଛାତ୍ରୀଙ୍କୁ ମାସକୁ ୧୮ଟି ବେଲ୍ଟଲେସ୍ ନାପକିନ ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ତଫସିଲଭୁକ୍ତ ଜାତି ଓ ଜନଜାତି ବିକାଶ ଓ ପଛୁଆବର୍ଗ ଉନ୍ନୟନ ବିଭାର ସହଯୋଗରେ ଏହା କାର୍ଯ୍ୟକାରୀ କରାଯିବ । ପାଂଚବର୍ଷ ମଧ୍ୟରେ ଏଥିପାଇଁ ୪୬୬.୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛି । ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ଓଡ଼ିଶା ରାଜ୍ୟ ଆହାର ସମିତିକୁ ବୈଷୟିକ ସହାୟତା ତଥା ଆହାର କାର୍ଯ୍ୟକ୍ରମର ସୁପରିଚାଳନା ଉଦେ୍ଧଶ୍ୟରେ ରାଜ୍ୟ ସ୍ତରରେ ଏକ ଯୋଜନା ପରିଚାଳନା ୟୁନିଟ୍ର ସ୍ଥାପନା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।