୧୧ କୋଟିର ବ୍ରାଉନସୁଗର ଜବତ

Oct 28, 2022 - 14:30
 134
୧୧ କୋଟିର ବ୍ରାଉନସୁଗର ଜବତ
ବାଲେଶ୍ୱର: ୧୧ କୋଟି ଟଙ୍କାର ବ୍ରାଉନସୁଗର ଜବତ। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଏହି ନିଶା ସାମଗ୍ରୀ ଜବତ କରିଛି। ଗିରଫ ନିଶା ମାଫିଆଙ୍କ ଭିତରେ ରହିଥିବା ମୁଖ୍ୟ କିଙ୍ଗପିନର ଘର ମଧ୍ୟପ୍ରଦେଶରେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ପରିମାଣ ୧୦ କେଜିରୁ ଅଧିକ ହେବ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ଫୁଲାଡି ଅଞ୍ଚଳରେ ଚଢ଼ାଉ କରିଥିଲା। ବ୍ରାଉନସୁଗାର କାରବାର କରିବାକୁ ଆସିଥିବା ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କ ଠାରୁ ବିପୁଳ ପରିମାଣର ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ହେବା ପରେ ପୁଲିସ ତଦନ୍ତ ଜୋରଦାର କରିଥିଲା। ଏହି ନିଶା ମାଫିଆ ଗ୍ୟାଙ୍ଗ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗରେ ନିଜର କାୟା ବିସ୍ତାର କରିଛନ୍ତି। ଅନ୍ୟ ରାଜ୍ୟରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲେ। ସେମାନଙ୍କ ଠାରୁ ୨ଟି ବାଇକ୍ ଓ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ମୁଖ୍ୟ କିଙ୍ଗପିନ୍ ହାଡ୍‌କୋର କ୍ରିମିନାଲ ବୋଲି ପୂର୍ବାଞ୍ଚଳ ପୁଲିସ ଆଇଜି ସୂଚନା ଦେଇଛନ୍ତି। ଗିରଫ ନିଶା ମାଫିଆଙ୍କ ସହ ଅନ୍ୟ କାହାର ଲିଙ୍କ ରହିଛି ଓ ସେମାନଙ୍କ ଫାଇନାନ୍‌ସିଆଲ କାରବାର ଜାଣିବାକୁ ପୁଲିସ ଅଧିକ ତଦନ୍ତ ଚଳାଇଛି ବୋଲି ସେ କହିଛନ୍ତି।