ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି

Sep 17, 2021 - 07:55
 80
ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି
ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ବିଶ୍ୱ କପ୍ ପରେ ଟି-୨୦ ଅଧିନାୟକ ପଦରୁ ହଟିଯିବେ । ତାଙ୍କ ଇସ୍ତଫା ପରେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବିରାଟ କୋହଲି ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ । ଏହାକୁ ନେଇ ସେ ଚୟନକର୍ତ୍ତାଙ୍କୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ରୋହିତ ଶର୍ମାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯାଉ ବୋଲି ବିରାଟ ଚୟନକର୍ତ୍ତାଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ରୋହିତଙ୍କୁ ୩୪ ବର୍ଷ ବୟସ ହୋଇଗଲାଣି । ତେଣୁ ଜଣେ ନୂତନ ଖେଳାଳିଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଉ । ସେ ଚୟନକର୍ତ୍ତାଙ୍କ ସହ ଆଲୋଚନା ବେଳେ କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ନାମ ଦେଇଥିଲେ । ବିରାଟ କୋହଲି ଦିନିକିଆରେ ଉପ ଅଧିନାୟକ ପଦରେ ରାହୁଲ ଓ ଟି-୨୦ରେ ପନ୍ତଙ୍କୁ ଦାୟିତ୍ୱ ଦିଆଯିବା ଉଚିତ୍ ବୋଲି କହିଥିଲେ । କିନ୍ତୁ ବିସିସିଆଇକୁ କୋହଲିଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିନଥିଲା । ବୋର୍ଡର କହିବା କଥା ବିରାଟ ନିଜର ଉତ୍ତରାଧିକାରୀ ଚାହୁଁନଥିଲେ । ଗତ ବର୍ଷ ନଭେମ୍ବରରେ ଆଇପିଏଲ ସମୟରେ ରୋହିତ ଶର୍ମା ଆହତ ହେବାରୁ କେଏଲ ରାହୁଲଙ୍କୁ ଭାରତୀୟ ଟି-୨୦ ଦଳରେ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ବୋର୍ଡ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବାକୁ ପ୍ରସ୍ତୁତ ଅଛି । ବିସିସିଆଇ ସୂତ୍ର ଅନୁଯାୟୀ, ବିରାଟଙ୍କୁ ଏହା ଭଲ ଭାବେ ଜଣା ଯେ, ଯଦି ଟିମ୍ ୟୁଏଇରେ ଟି-୨୦ ବିଶ୍ୱ କପରେ ଭଲ ପ୍ରଦର୍ଶନ ନକରେ ତେବେ ତାଙ୍କୁ ସୀମିତ ଓଭର କ୍ରିକେଟର ଅଧିନାୟକ ପଦରୁ ହଟାଇ ଦିଆଯାଇପାରେ । ସୀମିତ ଓଭର କ୍ରିକେଟରେ କୋହଲି ଅଧିନାୟକ ତୂଳନାରେ ଜଣେ ଖେଳାଳି ଭାବେ ଭଲ ପ୍ରଦର୍ଶନ କରିଛନ୍ତି । କୋହଲି ଟି-୨୦ ଅଧିନାୟକ ପଦ ଛାଡି ନିଜ ଉପରୁ ଚାପ କିଛିଟା କମ କରିଥିବା କୁହାଯାଉଛି । ଯଦିଓ ନିକଟ ଭବିଷ୍ୟତରେ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଏ ତେବେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିବାର କୌଣସି କାରଣ ନାହିଁ । ଯଦି ଟି-୨୦ ବିଶ୍ୱ କପରେ ବିରାଟ କୋହଲି ଦଳକୁ ଚାମ୍ପିଅନ କରାଇବାରେ ବିଫଳ ହୁଅନ୍ତି ତେବେ ହୋଇପାରେ ଦିନିକିଆରେ ତାଙ୍କୁ କେବଳ ବ୍ୟାଟସମ୍ୟାନ ଭାବେ ଖେଳିବାକୁ ପଡିପାରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଡ୍ରେସିଂ ରୁମରେ ମଧ୍ୟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଖେଳାଳି ମାନେ ଲିଡର ମାନନ୍ତି । ଯୁବ ଖେଳାଳି ରୋହିତଙ୍କ ସହିତ ନିଜକୁ ନିରାପଦ ମଣୁଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଏମିତି ହିଁ ଦଶନ୍ଧି ଧରି କରି ଆସୁଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଭାରତୀୟ ଦଳର ସମସ୍ତ ଖେଳାଳି ବିରାଟଙ୍କୁ ସମର୍ଥନ କରନ୍ତି ନାହିଁ । ଏଥିରେ ଅଧିକାଂଶ ଯୁବ ଖେଳାଳି ସାମିଲ । କାରଣ କୋହଲି ଖେଳାଳିଙ୍କୁ ଅଧ ରାସ୍ତାରେ ହିଁ ଛାଡି ଦିଅନ୍ତି । କାରଣ ବିରାଟଙ୍କ ନିକଟରେ ଖେଳାଳିଙ୍କ ସହ ଉତ୍ତମ ଯୋଗାଯୋଗର ସମସ୍ୟା ରହିଛି । ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସର୍ବଦା ଜୁନିୟର ଖେଳାଳିଙ୍କ ସାହାଯ୍ୟ ପାଇଁ ତତ୍ପର ରହିଥାନ୍ତି । ତାଙ୍କର କୋଠରୀ ଯୁବ ଖେଳାଳିଙ୍କ ପାଇଁ ସର୍ବଦା ୨୪ ଘଣ୍ଟା ଖୋଲା ରହିଥାଏ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । କିନ୍ତୁ ବିରାଟଙ୍କ କ୍ଷେତ୍ରରେ ଓଲଟା । ପଡିଆ ବାହାରେ କୌଣସି ଯୁବ ଖେଳାଳିଙ୍କୁ ବିରାଟଙ୍କ ସହ ଯୋଗାଯୋଗ କରିବା ବହୁତ ମୁସ୍କିଲ