ହାତୀ ପାଇଁ ବନ୍ଧା ପଡ଼ିଛନ୍ତି ଫରେଷ୍ଟର

Sep 21, 2022 - 06:00
 46
ହାତୀ ପାଇଁ ବନ୍ଧା ପଡ଼ିଛନ୍ତି ଫରେଷ୍ଟର
କରଞ୍ଜିଆ: ଅତିଷ୍ଠ କଲାଣି ହାତୀ ଉପଦ୍ରବ । କେତେବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଯାଉଛି ତ କେତେବେଳେ ଯାଉଛି ବର୍ଷ ଯାକର ଫସଲ । ଶୁଣୁନି ବିଭାଗ, ମିଳୁନି କ୍ଷତିପୂରଣ। ଏହା ଅସହ୍ୟ ହେବାରୁ ଲୋକେ ଉଠାଇଛନ୍ତି ଚରମ ପଦକ୍ଷେପ । ଏପରିକି ଉତ୍ତ୍ୟକ୍ତ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଫରେଷ୍ଟର ଓ ବନ କର୍ମଚାରୀ। ଏପରିକି ଗତକାଲି ବିଳମ୍ବିତ ରାତିରୁ ସେମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧୀନ ପୁରୁଣା ଦେଓଗାଁରେ ଘଟିଛି। କରଞ୍ଜିଆ ବନଖଣ୍ଡରେ ହାତୀ ପଶିଥିବା ସୂଚନା ପାଇ ଗତ ରାତିରେ ଦରି ଫୋରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ସେମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଉଚ୍ଚବାଚ ହୋଇଥିଲା। ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଏଥିନିମନ୍ତେ ବନ ବିଭାଗର ଉଦାସୀନତାକୁ ଦାୟୀ କରିଥିଲେ। ଏପରିକି କ୍ଷୟକ୍ଷତି ହେଲେ ବନ ବିଭାଗ କ୍ଷତିପୂରଣ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୁରୁଣା ଦେଓଗାଁର ପ୍ରାୟ ଶତାଧିକ ଲୋକେ ଦରି ଫୋରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ହାତୀମାନଙ୍କୁ ତୁରନ୍ତ ଘଉଡେଇବା, ହାତୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର କ୍ଷତି ପୂରଣ ତୁରନ୍ତ ଯୋଗାଇବା ସହିତ ଦରି ଫରେଷ୍ଟରଙ୍କ ବଦଳି ଦାବି କରି ଅଟକ ରଖିଛନ୍ତି ପୁରୁଣା ଦେଓଗାଁ ଲୋକେ ।