ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ଶିକ୍ଷା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

May 24, 2022 - 05:44
 47
ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ଶିକ୍ଷା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ଦିଆଯିବ । ସ୍କୁଲ ପାଠ୍ୟକ୍ରମରେ ଅଲିମ୍ପିକ୍ସ ସ୍ଥାନ ପାଇବ । ଏଥିପାଇଁ ରାଜ୍ୟ ସରକାର ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ ପ୍ରସ୍ତୁତ କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ସାରା ଦେଶରେ ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଓଡ଼ିଶା ପ୍ରଥମ ହେବ । ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ୟ୍ୟକ୍ରମ ପ୍ରଥମେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱରର ୬୩ ଓ ରାଉରକେଲାର ୨୭ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ଏହି ସ୍କୁଲଗୁଡ଼ିକର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ମିଳିବ । ଏହି କାର୍ୟ୍ୟକ୍ରମ ସଫଳ ହେବା ପରେ ରାଜ୍ୟର ଅନ୍ୟ ସମସ୍ତ ସ୍କୁଲରେ ଲାଗୁ ହେବ । ଫଳରେ ୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇଣ୍ଟରନ୍ୟାସନାଲ୍‌ ଅଲିମ୍ପିକ କମିଟି ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ରାଜ୍ୟ ସରକାର ଏହି କାର୍ୟ୍ୟକ୍ରମ କରିବେ ।