ସୁଶାନ୍ତ ଧଳ ସାମନ୍ତକୁ ଅଭିଯୁକ୍ତ ଦର୍ଶାଇଲେ କୋର୍ଟ
କଟକ, ୧୧ା୬(ସକାଳଖବର): ନୂଆବଜାର ମାଛ ମାର୍କେଟ ଡବଲ ମର୍ଡର ମାମଲାରେ କଟକ କମିସନରେଟ ପୁଲିସର ଆବେଦନ ଉପରେ ଶୁଣାଣି କରି ଏସଡିଜେଏମ କୋର୍ଟ ସୁଶାନ୍ତ ଧଳସାମନ୍ତକୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ ବଲାଙ୍ଗୀର ଜେଲରୁ ସୁଶାନ୍ତକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା । ଫଳରେ ଏହି ହତ୍ୟା ମାମଲାରେ ଏବେ ୬ଜଣ ଅଭିଯୁକ୍ତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱଜିତ ବରାଳ ମାମଲା ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଯେ ୨୦୦୯ ମସିହା ଡିସେମ୍ବର ମାସ ୧୧ତାରିଖରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ମାଛ ମାର୍କେଟ ଠାରେ ସକାଳ ୯.୫୦ମିନଟ ସମୟରେ ଅନିରୁଦ୍ଧ ସେଠୀ ଓରଫ ଟିଟୁ ଓ କାମେଶ୍ୱର ସେଠୀ ଓରଫ ଲିଟୁଆ ଠିଆ ହୋଇଥିବାବେଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ପୁଲିସ ୧୭୨/୨୦୦୯ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଏହି ମାମଲାରେ ଗୌରୀ ମହାପାତ୍ର ଓରଫ ବାବୁଲି, ସଞ୍ଜୟ ସାହୁ ଓରଫ ଭଜନା, ବବିନା ସାହୁ ଓରଫ ବିନୋଦ, ଆଶିଷ ସାହୁ ଓରଫ କର୍ଣ୍ଣୋଳି, ସୁଶୀଳ ଧଳସାମନ୍ତଙ୍କୁ ପୁଲିସ ଗିରଫ କରିଥିଲା । ଘଟଣା ସମୟରେ ସୁଶାନ୍ତ ଫେରାର ରହିଥିବାରୁ ପୁଲିସ ତାକୁ ଗିରଫ କରିପାରିନଥିଲା । ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ୭ଟି ମାଉଜର ସହ ପ୍ରଚୁର ଗୁଳି ଜବତ କରିଥିଲା । ସୁଶାନ୍ତ ବିରୋଧରେ ଆଇପିସି ୩୦୨, ୩୪ଦଫା ସହ ଅର୍ମ୍ସ ଆକ୍ଟ ୨୫,୨୭ ଦଫାରେ ମାମଲା ଦାୟର ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ତେବେ ଏହି ମାମଲାରେ ଖୁବଶୀଘ୍ର ବିଚାର ପ୍ରକ୍ରିୟା ଆରମ୍ଭ ହେବ ।