ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର ୨୫/୧୨(ସକାଳଖବର): ବରିଷ୍ଠ ଆଇଏଏସ୍ ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅସିତ୍ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ଏହା ଏହା ସହ କିଛି ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ଶ୍ରୀ ତ୍ରିପାଠୀ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, ଶିଳ୍ପ ଓ କୃଷିବ୍ୟାପାରର ପରାମର୍ଶ ଦାୟିତ୍ବ ସମ୍ଭାଳିବେ ଶ୍ରୀ ତ୍ରିପାଠୀ ।
ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନୂଆ ବର୍ଷରେ ଦାୟିତ୍ବ ଗ୍ରହଣ କରିବେ । ଓଡ଼ିଶା କ୍ୟାଡରର ଏହି ଅଧିକାରୀ ତାଙ୍କର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।
ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ। ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ। ଦୀର୍ଘ ୩ ବର୍ଷ ଧରି ସେ ଏହି ପଦବୀରେ ରହି ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବାରେ ବ୍ରତୀ ରହିଥିଲେ । ନିଜର କାର୍ଯ୍ୟକାଳ ଭିତରେ ସେ କଟକର ଆରଡିସି, ଶକ୍ତି ସଚିବ, ଜଳ ସମ୍ପଦ ସଚିବ ଏବଂ ଜଙ୍ଗଲ ବିଭାଗର ସଚିବ ଭାବେ ପ୍ରାୟ ୧୦ ବର୍ଷ ଅତିବାହିତ କରିଥିଲେ। ଏହି ସମୟ ମଧ୍ୟରେ ଶ୍ରୀ ମହାପାତ୍ର ବହୁ ସଫଳତାର ସହିତ ମେଗା ଲିଫ୍ଟ, ଡିପ୍ ବୋରୱେଲ୍, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନାର ଆରମ୍ଭ କରିଥିଲେ ଢ ଏହି କାର୍ଯ୍ୟକ୍ରମଗୁଡିକ ଖୁବ୍ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭାବେ ପରିଗଣିତ ହୋଇଥିଲା।
ଏଥିସହିତ ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ର ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ, ସେସୁର ସିଇଓ ଏବଂ ଗ୍ରିଡକୋର ସିଏମଡି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହି ରାଜ୍ୟ ସରକାରଙ୍କ ବ୍ୟାବସାୟିକ ସଂସ୍ଥାକୁ ସୁପରିଚାଳିତ କରିଥିଲେ। ରାଜ୍ୟ ପ୍ରଶାସନର ମୁଖିଆ ଭାବେ ସେ ଦୀର୍ଘ ସମୟ ଅତିବାହିତ କରିବେ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ତାଙ୍କ ଠାରୁ ଏକ ପାରଦର୍ଶୀ ଓ ବିକାଶୋନ୍ମୁଖୀ ପ୍ରଶାସନର ଅପେକ୍ଷା ରଖନ୍ତି।
୧୯୬୨ ମସିହାରେ ଶ୍ରୀ ମହାପାତ୍ର ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ ସେ । ଏହାପରେ ୧୯୮୫ରେ ସେ ଆଇଏସମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ।