ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲା, ୧୦ରେ ଶୁଣାଣି କରିବେ କୋର୍ଟ

Nov 7, 2022 - 09:51
 35
ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲା, ୧୦ରେ ଶୁଣାଣି କରିବେ କୋର୍ଟ
ନୂଆଦିଲ୍ଲୀ ୦୭।୧୧: ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଲା ଦିଲ୍ଲୀ ପ୍ରଦୂଷଣ ମାମଲା। ରାଜଧାନୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ବିଷ ବଳୟରେ ଅଣନିଶ୍ବାସୀ ହୋଇପଡ଼ିଲେଣି ଲୋକେ । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସର ସୂଚକାଙ୍କ ବିପଦ ସଙ୍କେତ ଉପରେ ରହିଛି । ରାଜଧାନୀରେ ଜୀବନ ଜିଇଁବା ଜଟିଳ ହୋଇପଡିଥିବା ବେଳେ ପ୍ରଦୂଷଣ ନେଇ ସୋମବାର ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ପଞ୍ଜାବ ଓ ହରିୟାଣାରେ ଅମଳ ପରବର୍ତ୍ତି ସମୟରେ କ୍ଷେତରେ ନଡ଼ା ଜଳାଯାଉଥିବାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢି ଚାଲିଛି । ଯାହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ଓ ଏହା ଲୋକଙ୍କ ଜୀବନ ସହିତ ଜଡ଼ିତ ଥିବାରୁ ଶୀଘ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଗୁହାରି କରିଥିଲେ ଆବେଦନକାରୀ। ସେପଟେ ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଦିଲ୍ଲୀର ଏୟାର କ୍ବାଲିଟି-୩୩୯ ରହିଥିଲା। ସେହିପରି ଶନିବାର ଏହା ୩୮୧, ଶୁକ୍ରବାର ପ୍ରଦୂଷଣ ସ୍ତରର ୪୪୭ ଓ ଗୁରବାର ୪୫୦ ପଏଣ୍ଟ ରେକର୍ଡ କରାଯାଇଥିଲା । ବାୟୁ ପ୍ରଦୂଷଣ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଦିଲ୍ଲୀବାସୀ ।