ସୁନ୍ଦରୀ ପାଇଁ ଟ୍ରାଙ୍କୁଲାଇଜ ଟିମ ନାକେଦମ

Nov 1, 2018 - 17:28
 168
ସୁନ୍ଦରୀ ପାଇଁ ଟ୍ରାଙ୍କୁଲାଇଜ ଟିମ ନାକେଦମ
ଅନୁଗୋଳ , ୧/୧୧ (ସକାଳଖବର): ବାଘୁଣୀ ସୁନ୍ଦରୀ ସାତକୋଶିଆବାସୀ ସମେତ ବନବିଭାଗ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଥୟ କରିଚାଲିଛି । ତେବେ ବାଘୁଣୀକୁ କାବୁ କରିବା ପାଇଁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଧରା ଦେଉନି ସୁନ୍ଦରୀ । ପୂର୍ବରୁ ଓୟୁଏଟି, ନନ୍ଦନକାନନ, ଶିମିଳିପାଳର ଟ୍ରାଙ୍କୁଲାଇଜ ଟିମ ବାଘୁଣୀକୁ କାବୁ କରିବାରେ ବିଫଳ ହେବା ପରେ ମଧ୍ୟପ୍ରଦେଶର ଟ୍ରାଙ୍କୁଲାଇଜ ଟିମ ୨/୩ ଦିନ ହେଲା ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ମାତ୍ର ଫଳ ଶୂନ । ଆଉ ଟ୍ରାଙ୍କୁଲାଇଜ ଟିମକୁ ଚକମା ଦେଇଚାଲିଛି ବାଘୁଣୀ ସୁନ୍ଦରୀ । କେତେବେଳେ ଘଞ୍ଚ ଜଙ୍ଗଲରେ ତ ଆଉ କେତେବେଳେ ନାଳ ପାଖରେ ବିଚରଣ କରୁଛି । ତେଣୁ ଟ୍ରାଙ୍କୁଲାଇଜ କରିବା ସୁବିଧା ହୋଇପାରୁନି । ଏଥିନିମନ୍ତେ ୨ଟି ପୋଷା ହାତୀ ଅବଶ୍ୟକ ହେଉଛି । ତେଣୁ ହାତୀ ଆଣିବା ପର୍ଯ୍ୟ ଟ୍ରାଙ୍କୁଲାଇଜ ଅଭିଯାନ ସ୍ଥଗିତ ରହିବ ବୋଲି ଜଣାପଡ଼ିଛି । ସୂଚନା ଯେ ତେବେ ମଧ୍ୟପ୍ରଦେଶ ଟିମକୁ ବାଘୁଣୀ ନାକେଦମ କରିଦେଲାଣୀ ତେଣୁ ତାକୁ କାବୁ କରିବାକୁ ହେଲେ ୨ଟି ହାତୀ ଦରକାର । ସରକାର ହାତୀ ଆଣିବା ପରେ ଟ୍ରାଙ୍କୁଲାଇଜ ଅଭିଯାନ ପୁଣି ଆରମ୍ଭ ହେବ ବୋଲି ସୂଚନାରୁ ଜଣାପଡ଼ିଛି । ବର୍ତ୍ତମାନ ପାଇଁ ସୁନ୍ଦରୀ ଅଭିଯାନ ସ୍ଥଗିତ ରହିଛି । ସୂଚନା ଯେ ବାଘୁଣୀ ସୁନ୍ଦରୀ ଘଞ୍ଚ ଜଙ୍ଗଲ ଓ ଝରଣା ପାଖାପାଖି ବିଚରଣ କରୁଛି । ସେଇ ସମୟରେ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହେଉନାହିଁ । ଯଦି ଟ୍ରାଙ୍କୁଲାଇଜ କରାଯାଏ ହୁଏତ ସୁନ୍ଦରୀ ମୃତ୍ୟୁ ମୁଖରେ ପଡ଼ିଯାଇପାରେ । କାରଣ ଟ୍ରାଙ୍କୁଲାଇଜ କରିବା ପରେ ଶରୀରର ତାପମାତ୍ରା ମାତ୍ରାଧିକ ବୃଦ୍ଧି ପାଇବ । ସେଇ ସମୟରେ ସେ ଥଣ୍ଡା ପାଇଁ ଝରଣାରେ ପଶିଯାଇପାରେ । ଯଦ୍ୱାରା ମୃତ୍ୟୁ ଆଶଙ୍କା ରହିଛି । ସେହିପରି ଘଞ୍ଚ ଜଙ୍ଗଲ ଭିତରେ ଟ୍ରାଙ୍କୁଲାଇଜ କରିବାର ୧୦ରୁ ୧୫ ମିନିଟ ମଧ୍ୟରେ ଉଦ୍ଧାର କରିବା ସମ୍ଭବ ନୁହଁ । ସେଥିପାଇଁ ମଧ୍ୟପ୍ରଦେଶ ଟିମ୍ ଟ୍ରାଙ୍କୁଲାଇଜ କରିବାକୁ ହାତୀର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି ।ଆଜି ବାଘୁଣୀ ସୁନ୍ଦରୀ ପୁରୁଣାକୋଟ ବନାଞ୍ଚଳ କୁକୁରବିନ୍ଧା ଅଞ୍ଚଳରେ ବିଚରଣ କରିବା ସହ ଏକ ହରିଣ ଶିକାର କରି ଖାଇଛି । ସେଇଭଳି ନନ୍ଦିନୀ ନାଳରେ ପାଣି ପିଇବା ସହ ୬ଘଣ୍ଟା ଶୋଇରହିଥିଲା ବୋଲି ସୂଚନାରୁ ଜଣାଯାଇଛି ।ଅପରପକ୍ଷେ ବାଘୁଣୀ କାବୁ ନହେବା ଯୋଗୁଁ ସାତକୋଶିଆବାସୀ ଭୟ ଆତଙ୍କ ଦେଇ ଜୀବନ କାଟୁଛନ୍ତି ।